ପରଲୋକରେ ଶାନ୍ତିପ୍ରିୟ ଶିକ୍ଷକ ରବୀନ୍ଦ୍ର କୁମାର ରାଉତରାୟ, ଝୁରୁଛି ସ୍ଥାନୀୟ ମାଟି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଧାମୋହନ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ଘୋରଡ଼ିଆର ଶାନ୍ତିପ୍ରିୟ ଶିକ୍ଷକ ରବୀନ୍ଦ୍ର କୁମାର ରାଉତରାୟ(୭୦)ଙ୍କର ଭୁବନେଶ୍ୱରର ଏକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି, ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତଥା ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଶାନ୍ତିଯୁକ୍ତ, ମେଳାପି, ମିଷ୍ଟଭାଷୀ, ଦରଦୀ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ, ସରଳ, ପରୋପକାରୀ ମଣିଷ ଭାବେ ନିଜର ସୁଗୁଣାବଳୀ ପାଇଁ ସମସ୍ତଙ୍କର ଅତି ଆପଣାର ଓ ଆଦରଣୀୟ ହୋଇଥିଲେ । ସେ ପ୍ରଥମେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରାଧାମୋହନ ଉଚ୍ଚ ବିଦ୍ୟାପୀଠରେ ୧୯୮୩ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ସେହି ବିଦ୍ୟାପୀଠରେ ବହୁଦିନ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ଅଠେଇଶୀ ନିଷ୍ଠାର ସହିତ ଶିକ୍ଷକତା କରିବା ପରେ ୨୦୧୧ ମସିହାରେ ଅବସର ନେଇଥିଲେ । ଶିକ୍ଷକତା ସମୟରେ ଅନେକ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ତାଙ୍କର ଅହରହ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ବିଦ୍ୟାପୀଠ ପରିସରକୁ ଅଣାଯାଇଥିଲା । ସେଠାରେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶ, ବରିଷ୍ଠ ଶିକ୍ଷକ ଲଡ଼ୁକିଶୋର ସମାନ୍ତସିଂହାର, କୁଶବନ୍ତ କଅଁର, ଅବସରପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି, ଗୋପୀ ଶାସମଲ, ଦେବରାଜ ପୃଷ୍ଟି, ଲକ୍ଷ୍ମୀଧର ଜେନା, ଚିତ୍ରସେନ ନିଶଙ୍କ, ଦିଗବିଜୟୀ ଭାଷ୍କାଡାଗାମା, ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ, ସ୍ତୁତିସନ୍ଧ୍ୟା ମହାରଣା, ଲକ୍ଷ୍ମୀପ୍ରିୟା ପ୍ରଧାନ, ଲିପିକା ଭୋଇ, ପବିତ୍ର ମୋହନ ସାହୁ, ସମସ୍ତ ନୂତନ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସଦସ୍ୟ /ସଦସ୍ୟା ପାର୍ଥିବ ଶରୀରକୁ ଶେଷ ଦର୍ଶନ ଓ ସମ୍ମାନ କରିବା ସହ ବିଦ୍ୟାଳୟ ପରିସରରେ ଦୁଇ ମିନିଟ ନିରବ ପ୍ରାର୍ଥନା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଈଶ୍ୱରଙ୍କ ନିକଟରେ ସେହି ପବିତ୍ର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ବର୍ଗ ଦ୍ବାର ପର୍ଯ୍ୟନ୍ତ ତାଙ୍କ ମର ଶରୀରକୁ ନିଆଯାଇ ସେଠାରେ ଜ୍ୟେଷ୍ଠ ପୁତ୍ର ବିଜୟ, ସାନ ପୁଅ ଅଜୟଙ୍କ ସମେତ ପୁତୁରା ଜ୍ଞାତି କୁଟୁମ୍ବ ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି । ଜ୍ୟେଷ୍ଟ ପୁତ୍ର ବିଜୟ କୁମାର ରାଉତରାୟ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.