ପାଣି ପାଇଁ ଡହକ ବିକଳ ଅଧା ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଦଶରୁ ପନ୍ଦର ଦିନ ହେବ ସହରର ବିଭିନ୍ନ ଅଂଚଳର ଲୋକ ଜଳ କଷ୍ଟ ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁ ନାହିଁ । ଜଳ ଯୋଗାଣ ବିଭାଗ ପାଣି ପାଇପ ଅନୁଧ୍ୟାନ ଓ ମରାମତିର ଆଳ ଦେଖାଇ ପ୍ରତିଦିନ ଜନ ସମସ୍ୟାକୁ ଏଡାଇ ଯାଉଛି । ଅଧା ସହର ପ୍ରବଳ ଖରାରେ ପାଣି ପାଇଁ ଡହକ ବିକଳ ହେଉଛି । ଏହି ସମୟରେ ବଲାଙ୍ଗିର ବିଧାୟକ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଜଳ ଯୋଗାଣ ବିଭାଗର କାମ ବାଘ ନଥିଲେ ମିରିଗ ନାଟ ପରି ହେଉଛିି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଖରା ଆରମ୍ଭ ହେଉ ହେଉ ବଲାଙ୍ଗିର ସହରରେ ଜଳାଭାବ ଦେଖା ଯାଏ । ସହରରେ ଜଳ ଯୋଗାଣକୁ ତ୍ୱରାନ୍ୱିତ କରାଯିବା ଯୋଗୁଁ ବିଗତ କିଛି ବର୍ଷ ହେବ ସହରର ବିଭିନ୍ନ ଅଂଚଳ ଏହି ସମସ୍ୟାରୁ ମୁକ୍ତି ପାଇଥିଲା । କିନ୍ତୁ ଏବର୍ଷ ସହରର କିଛି ଅଂଚଳରେ ପୁଣି ଜଳାଭାବ ଦେଖା ଦେଇଛି । କିଛି ଅଂଚଳରେ ପାଇପ ଯୋଗେ ମଇଳା ପାଣି ମଧ୍ୟ ଆସୁଛି । ସହରରୱାର୍ଡ ନଂ. ୪, ୫, ୬ , ୧୨,୧୫ ଓ ୧୮ରେ ବିଶେଷ ଭାବେ ଜଳ ଯୋଗାଣ ପ୍ରଭାବିତ ହୋଇଛି । ଖରା ପୁର୍ବରୁ ପ୍ରତିଦିନ ହେଉଥିବା ଜଳ ଯୋଗାଣ ପ୍ରଥମେ ଦିନେ ଛଡା ଦିନେ ପରେ ଚାରି ପାଞ୍ଚ ଦିନକୁ ଥରେରେ ପରିଣତ ହୋଇଛି । ସେହିପରି ୱାର୍ଡ ନଂ, ୪, ୬ ଓ ୧୨ ରେ ମନମୁଖୀ ହିସାବରେ ମାତ୍ର ଅଧଘଣ୍ଟା ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିବା ବେଳେ ସେମଧ୍ୟରୁ ଅଧା ସମୟ ପାଇପରୁ କେବଳ ପବନ ଆସୁଛି । ଏହାକୁ କରୋନା କାଳରେ ଜଳ ଯୋଗାଣ ବିଭାଗର ଅକ୍ସିଜେନ ସପ୍ଲାଇ ବୋଲି କିଛି କଟାକ୍ଷ କରୁଛନ୍ତି । ଜଳାଭାବ ହଉଥିବା ସ୍ଥାନମାନଙ୍କରେ ଯଦିଓ ଟ୍ୟାଙ୍କର ଯୋଗେ ଜଳ ଯୋଗାଣର ବ୍ୟବସ୍ଥା ରହିଛି । କିନ୍ତୁ ପାଣି ପାଇଁ ଭିଡରେ ସଂକ୍ରମଣର ଆଶଙ୍କା ଅନେକେଙ୍କୁ ପାଣିରୁ ବଞ୍ଚିତ କରୁଛି । ତେବେ ଅନ୍ୟ ସମୟରେ ବଲାଙ୍ଗିର ବିଧାୟକ ଜଳ ସମସ୍ୟାର ଅଭିଯୋଗକୁ ଗୁରୁତର ସହ ନେଇ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତି । କିନ୍ତୁ ବିଧାୟକଙ୍କ ଅନୁପସ୍ଥିତିରେ ଜଳ ଯୋଗଣ ବିଭାଗ ମିରିଗ ନାଟ କରୁଛି । ଆହୁରି ପ୍ରତିବର୍ଷ ଜଳ ଯୋଗାଣ ବିଭାଗର ଏଭଳି ବାହାଘର ବେଳେ ବାଇଗଣ ରୁଆ ବଲାଙ୍ଗିରବାସୀଙ୍କ ପାଇଁ ମହଙ୍ଗା ପଡୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ।

Leave A Reply

Your email address will not be published.