ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରେଡ୍‌କ୍ରସ୍‌ ରକ୍ତ ଭଣ୍ଡାର ଦ୍ୱାରା ଶୁକ୍ରବାର ଦିନ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହା ସ୍ଥାନୀୟ ସରକାରୀ ଡାକ୍ତରଖାନା ସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାତା ଦିବସ ପାଳନ ଅବସରରେ ଡାକ୍ତରଖାନାର ସୁପରିନ୍‌ଟେଣ୍ଡେ ଡାକ୍ତର ରାକେଶ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥୀଭାବେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. କୁବେର ଚନ୍ଦ୍ର ମହତ, କଣ୍ଟାବାଞ୍ଜି ଏନ୍‌.ଏ.ସି. ନଗରପାଳ ବରିୟାମ ସିଂ ସାଲୁଜା, ରକ୍ତଭଣ୍ଡାର ପରିଚାଳନା ଅଧିକାରୀ ଡ. ଏମ୍‌. ଶ୍ରଦ୍ଧାଞ୍ଜଳି, ଡାକ୍ତର ସ୍ପିତା ବେହେରା, ବ୍ଲଡ ବ୍ୟାଙ୍କ ଚ୍ୟାରମେନ ଡାକ୍ତର ବେଣୁଧର ରାଉତ ମଂଚାସୀନ ଥିଲେ । କଣ୍ଜାବାଞ୍ଜି ଡାକ୍ତରଖାନାରେ ଥିବା ରକ୍ତ ଭଣ୍ଡାରର ସୁପରିଚାଳନା ପାଇଁ ସହର ତଥା ପଡୋଶି ଅଂଚଳର ଅନେକ ଅନୁଷ୍ଠାନ ବର୍ଷତମାମ ରକ୍ତଦାନ ଶିବିର କରି ରକ୍ତ ଭଣ୍ଡାରକୁ ସହଯୋଗ କରୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମହତ ରକ୍ତଦାତା ଏବଂ ଶିବିର ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ । ଏପରିକି ରକ୍ତଦାନ ଦେବା ଦ୍ୱାରା ନିଜର ଏବଂ ଅନ୍ୟର ଜୀବନ ସୁରକ୍ଷିତ ରହେ ବୋଲି କହିଥିଲେ । କଣ୍ଟାବାଞ୍ଜି ଡାକ୍ତରଖାନାରେ ଥିବା ରକ୍ତ ଭଣ୍ଡାର ଏବଂ ଡାକ୍ତରଖାନା ଟିଟିଲାଗଡ ଏବଂ ପାଟଣାଗଡ ଭଳି ଉପଖଣ୍ଡସ୍ତରୀୟ ସମସ୍ତ ସୁବିଧା ସୁଯୋଗ ରହିଛି । ଯାହା ଅନ୍ୟାନ୍ୟ ଡାକ୍ତରଖାନାଠାରୁ ବେଶ ଆଗରେ । ଏହି ସହରରେ ସାଧାରଣ ପୁରୁଷଠାରୁ ମହିଳାମାନେ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି । ଆଜିର ଏହି ସଭାରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ରକ୍ତଦାତାଙ୍କ ସଂଖ୍ୟାଧିକ ପରିମାଣରେ ଉପସ୍ଥିତି ପାଇଁ ସେମାନେ ପ୍ରଶଂସନୀୟ ବୋଲି କହିଥିଲେ । ରକ୍ତଦାନ କରିବା ବ୍ୟକ୍ତି ନିଜକୁ ଉଚ୍ଚ ରକ୍ତଚାପ ଏବଂ ବ୍ଲଡ କେଂଶର ଭଳି ରୋଗରୁ ସୁରକ୍ଷିତ ରଖିବା ସହିତ ଅନ୍ୟକୁ ମୃତ୍ୟୁ ମୁଖରୁ ସୁରକ୍ଷା ଦେଉଛି ତେଣୁ ସେ ମହାନ ଅଟେ । ସେହିପରି ନଗରପାଳ ସାଲୁଜା କଣ୍ଟାବାଞ୍ଜି ଡାକ୍ତରଖାନାର ଅନେକ ସମସ୍ୟାର ସମାଧାନକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ସହ ରୋଗୀମାନଙ୍କୁ ଉଚିତ୍‌ ସେବା ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଏହି ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଥିବା ଅନୁଷ୍ଠାନ ଗୁଡିକ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ କରିଥିବା ସଂସ୍ଥା ତଥା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଯାଦବ ସମାଜ ବଙ୍ଗୋମୁଣ୍ଡା, ମାରୱାଡି ଯୁବା ମଂଚ ଶାଖା ପ୍ରେସ୍‌ କ୍ଲବ, ମାରୱାଡି ବିକାଶ ଶାଖା, ମାରୱାଡି ପ୍ରଗତି ଶାଖା, କଣ୍ଟାବାଞ୍ଜି, ଆମ୍ବେଦକର ଯୁବକ ସଂଘ, ବେହେରେନ୍‌ସିଲେଟ, ଜନକଲ୍ୟାଣ ଟ୍ରଷ୍ଟ ବେଲପଡା, ତେରାପନ୍ଥ ଯୁବକ ପରିଷଦ କଣ୍ଟାବାଞ୍ଜି, ଏଚ.ଡି.ଏଫ.ସି. ବ୍ୟାଙ୍କ ମାଲି ସମାଜ କଣ୍ଟାବାଞ୍ଜି, ମାଁ ବନମାଲେନ କ୍ଲବ, ଶ୍ରୀରାମ ସେନା, ବନମାଲ, ହମାରେ ପଡୋଶି (କପଲ ଗ୍ରୁପ),ସମ୍ରାଟ ଅଶୋକ ଫାଉଣ୍ଡେସନ୍‌, ବିପ୍ର ଫାଉଣ୍ଡେସନ୍‌, ବିରଂଚି ଦାସ ଜୁନିୟର ରେଡ୍‌କ୍ରସ୍‌ ସଂଯୋଜକ ସହ ଅନେକ ବ୍ୟକ୍ତି ବିଶେଷ ରକ୍ତଦାନ କରିଥିବାରୁ ସେମାନଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ରକ୍ତଦାତା ଉଭୟେ ଯୁବତୀ ଯୁବକ, ମହିଳା ପୁରୁଷ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଆଶିଷ ଖାଇତାନ ସଂଯୋଜନା କରିଥିଲେ ।

Leave A Reply

Your email address will not be published.