ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

  • ଡେଙ୍ଗୁ ରୋଗକୁ ପ୍ରତିରୋଧ ପାଇଁ ଜନସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଡାକ୍ତର ମହନ୍ତ ଉଦବୋଧନ ଦେଇ ସ୍ଵଚ୍ଛ ପରିବେଶ, ନିୟମିତ ମଶାରୀ ବ୍ୟବହାର ଏବଂ ଲକ୍ଷଣ ଦେଖାଦେବା ସଙ୍ଗେ ସଙ୍ଗେ ପରୀକ୍ଷା ଓ ଚିକିତ୍ସା ଦ୍ଵାରା ଡେଙ୍ଗୁ କବଳରୁ ଆମେ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏହି ରୋଗର ପରୀକ୍ଷା ବିନା ମୂଲ୍ୟରେ ସରକାରୀ ମୁଖ୍ୟ ଚିକିତ୍ସାଲୟରେ ଉପଲବ୍ଧ ଅଛି ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟ କିଶୋର ପତି ଏହି ସଭାରେ ଉପସ୍ଥିତ ରହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ଜନସଚେତନତା ଦ୍ଵାରା ଏହି ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ନମୀତା ମିଶ୍ର ଡେଙ୍ଗୁ ରୋଗର ଲକ୍ଷଣ, ପରୀକ୍ଷା ଓ ଚିକିତ୍ସା, ଡେଙ୍ଗୁର ପ୍ରକାର, ଏହା କିପରି ବ୍ୟାପେ ଆଦି ସମ୍ପର୍କରେ ଆଲୋଚନା କରିବା ସହ ପାଣି ଜମି ରହୁଥିବା ସ୍ଥାନ, ପୁରୁଣା ଟାୟାର, ଫୁଲଦାନି, ଏୟାର କୁଲର ଇତ୍ୟାଦିକୁ ନିୟମିତ ସଫା ସୁତୁରା ରଖିବା ଦ୍ଵାରା ଡେଙ୍ଗୁ ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ସିଦ୍ଧେଶ୍ଵର ମାଝୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଧା ବାର୍ଲା, ଡାକ୍ତର ତୁଷାରକାନ୍ତ ଠାକୁର, ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ଵାଇଁ ଜିଲ୍ଲାରେ ଡେଙ୍ଗୁ ରୋଗର ସ୍ଥିତି ଓ ଏହାର ନିୟନ୍ତ୍ରଣ ସକାଶେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ମୃତ୍ୟୁଞ୍ଜୟ ମୁଣ୍ଡ ସଭାରେ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରୀତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମଚାରୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 − 1 =