pakka

ବଲାଙ୍ଗିରଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

bbehera
  • ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲର୍କିପାଲି ସ୍ଥିତ କୃଷି ବିଭାଗର ଆଞ୍ଚଳିକ ସଂପ୍ରସାରଣ ତାଲିମ ପ୍ରତିଷ୍ଠାନ ଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର, ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନେ ମୃତ୍ତିକା ସଂରକ୍ଷଣ ତଥା ମାଟିର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ମାଟିର ଉର୍ବରତା ବୃଦ୍ଧି ସକାଶେ ମାଟିର ପରୀକ୍ଷା କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଚାଷୀମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ସଚେତନତା ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୁଇଁତଳା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ବଲାଙ୍ଗିର ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ସଂଗୀତା ସୁନା, ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ମହିତୋଷ ଦାସ, ବଲାଙ୍ଗିର ବ୍ଲକର ଚାଷୀ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ଭୋଇ ପ୍ରମୁଖ ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା, ଯତ୍ନ, ଗୁଣବତ୍ତା ତଥା ସଂରକ୍ଷଣର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼. ସତ୍ୟମୟ ଶତପଥି, ବୈଜ୍ଞାନିକ ରାହୁଲ ଦେବ ବେହେରା ଏହି ସଚେତନତା ସଭାରେ ଯୋଗଦେଇ ମୃତ୍ତିକା ପରୀକ୍ଷାର ପ୍ରକ୍ରିୟା, ଉପାଦେୟତା ଏବଂ ସମନ୍ଵିତ ଖାଦ୍ୟସାର ପରିଚାଳନା ଉପରେ ସୂଚନା ପ୍ରଦାନ କରିବା ସହ ଚାଷୀମାନେ ଏହାର ଆବଶ୍ୟକତା ଉପରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଚଳିତ ବର୍ଷର ବିଷୟବସ୍ତୁ ମୃତ୍ତିକାରୁ ଖାଦ୍ୟ ଆରମ୍ଭ ଉପରେ ଆଲୋଚନା କରିଥିଲେ । ଜିଲ୍ଲା କୃଷି ବିଭାଗର ମୃତ୍ତିକା ରସାୟନବିତ୍‌ ବିମ୍ବାଧର ସାହୁ ବିଶ୍ଵ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମୃତ୍ତିକାରୁ ଖାଦ୍ୟ ଆରମ୍ଭ ବିଷୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏତଦ୍‌ ବ୍ୟତୀତ ୧୫ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ସଭାରେ ବକ୍ତୃତା ପତିଯୋଗିତାର କୃତି ପ୍ରତିଯୋଗୀମାନେ ମଧ୍ୟ ମୃତ୍ତିକାରୁ ଖାଦ୍ୟ ଆରମ୍ଭ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଦିବସ ପାଳନ ଅବସରରେ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷା ଭ୍ୟାନ ମାଧ୍ୟମରେ ମୃତ୍ତିକା ପରୀକ୍ଷା କରାଯାଇଥିଲା । ଏହି ସଚେତନତା ସଭାରେ କୃଷି ବିଭାଗର ଅଧିକାରୀ, କ୍ଷେତ୍ର କର୍ମଚାରୀଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ଉପସ୍ଥିତ ଥିଲେ । ସଭା ଶେଷରେ ମୃତ୍ତିକା ରସାୟନବିତ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

one × 1 =