ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

କଳାହାଣ୍ଡି : (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସଚିନ ପାୱାର, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ଡ. କୈଳାଶ ଚନ୍ଦ୍ର ଦାସ(ବିଭାଗୀୟ ମୁଖ୍ୟ) ରାଜନୀତି ବିଜ୍ଞାନ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ୱାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଡିଏସ୍‌ପି ଭିଜିଲାନ୍ସ ସଦାନଦ ପାଣି ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବାରେ ବିଭାଗର ବିଭିନ୍ନ ପଦକ୍ଷେପ ଓ ସଚେତନତା ସୃଷ୍ଟି କରିବା ଉପରେ ବିଭିନ୍ନ ବିବରଣୀ ପ୍ରଦାନ କରିଥିଲେ । ସଭାର ଅଧ୍ୟକ୍ଷ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତେ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଶପଥ ପାଠ କରିଥିଲେ । ଗୃହରେ ଥିବା ଏଲ୍ଇଡି ସ୍କ୍ରିନରେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓ ଦୁର୍ନୀତି ନିବାରଣ ବିଭାଗର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ଉପରେ ଭିଡିଓ କ୍ଲିପ୍ ଦେଖିଥିଲେ ।

ଏହି ଅବସରରେ ସକାଳ ୯.୦୦ଘ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ୍ ଶକ୍ତି, ନେହେରୁ ଯୁବ କେନ୍ଦ୍ରର ସଭ୍ୟ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭାଗୀୟ ଅଧିକାରୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ ଏବଂ ମାଇକ ଦ୍ୱାରା ସ୍ଲୋଗାନ ଦିଆଯାଇଥିଲା । ସଭାରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ନିଜ ନିଜ ବକ୍ତବ୍ୟରେ ଦୁର୍ନୀତି ଏକ ସାମାଜିକ ବ୍ୟାଧି ଏବଂ ଦେଶର ପ୍ରଗତିରେ ଏହା ଏକ ବଡ଼ ପ୍ରତିବନ୍ଧକ । ଏହାକୁ ସମୂଲେ ବିନାଶ କରିବା ପାଇଁ ସବୁ ସ୍ତରରେ ସଚେତନତା ସୃଷ୍ଟି କରିବା ସହ ଜନସେବା କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବାକୁ ଆହ୍ୱାନ କରିଥିଲେ । ସପ୍ତାହ ପାଳନ ଅବସରରେ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଡିଆଇପିଆରଓ ମନୋଜ ବେହେରା ସଭାକୁ ପରିଚାଳନା କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଡବ୍ଲୁଓ, ଡିଏସ୍‌ଡବ୍ଲୁଓ, ଯୁବ ସଂଯୋଜକ, ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ବିଭାଗୀୟ ଅଧିକାରୀ, ଭିଜିଲାନ୍ସ ବିଭାଗର ସୁଶାନ୍ତ ପଟ୍ଟନାୟକ, ଶରତ ବେହେରା, ରାଜେଶ ନାୟକ, ବିଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × four =