
- ବିର୍ସା ମୁଣ୍ଡାଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ, ବିଭିନ୍ନ କ୍ଷେତ୍ରର ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗିର, (କେପିଏନ୍ଏସ୍) : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତୀୟ ନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ବଲାଙ୍ଗିରରେ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମ୍ରେ ଆୟୋଜିତ ଏହି ସମାରୋହରେ ଜନଜାତି ସମାଜର ଗୌରବମୟ ଇତିହାସ, କଳା, ସଂସ୍କୃତି ଓ ଅସ୍ମିତାକୁ ସ୍ମରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନଜାତି ସମାଜର ସମ୍ମାନ, ସ୍ୱାଭିମାନ ଓ ଅଧିକାରର ସୁରକ୍ଷା ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନର ମୁଖ୍ୟ ଆଧାର ବୋଲି କହିଥିଲେ । ଜନଜାତି ସମାଜର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ସହ ସମାଜର ସମସ୍ତ ବର୍ଗଙ୍କ ସହଯୋଗ ଓ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ସେ ମତ ରଖିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମାଧବ ସାଏ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ସମାରୋହର ଆରମ୍ଭରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମ ସହ ଜନଜାତି ସମାଜର ଅଧିକାର, ସଂସ୍କୃତି ଓ ପରିଚୟର ସୁରକ୍ଷା ପାଇଁ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଓ ବଳିଦାନକୁ ବକ୍ତାମାନେ ସ୍ମରଣ କରିଥିଲେ । ତାଙ୍କ ଆଦର୍ଶକୁ ଅନୁସରଣ କରି ଜନଜାତି ସମାଜର ଉନ୍ନତି ଓ ଯୁବପିଢ଼ିଙ୍କ ମଧ୍ୟରେ ନିଜ ଐତିହ୍ୟ ପ୍ରତି ଗର୍ବବୋଧ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଜନଜାତି କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧନା । କନ୍ଧ ଢାପ ନୃତ୍ୟ ପାଇଁ ମଣିଗାଁ, ଟିଟିଲାଗଡ଼ର ଥରମାଲି କଳା ପରିଷଦ, ଜନଜାତି ସଙ୍ଗୀତ ପାଇଁ ସୁରେଶ ଭୋଇ, ଜନଜାତି କବିତା ପାଇଁ ଡିଙ୍ଗର ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ରାଜ୍ୟସ୍ତରୀୟ ତୀରନ୍ଦାଜିରେ ସଫଳତା ପାଇଁ ଯୁଗଳ କିଶୋର ମାଝୀ ଓ ହେମନ୍ତ ପୁଟା ଏବଂ ଶିଶୁ କବିତା କ୍ଷେତ୍ରରେ ପ୍ରତିଭା ପାଇଁ ଶ୍ରଦ୍ଧାଞ୍ଜଳି ବରିହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଶ୍ରମ ବିଭାଗ ପକ୍ଷରୁ ତିନିଜଣ ମହିଳାଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହରେ ବିଭିନ୍ନ ବିଭାଗର ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, ସ୍ଥାନୀୟ ଜନସାଧାରଣ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।