
- ନାଟକ ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା; କଳାକାର ଓ ସାମ୍ବାଦିକ ସମ୍ବର୍ଦ୍ଧିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୀତୁଆ ସନ୍ଧ୍ୟାରେ ନାଟକର ନିଆରା ଆସର ଓ ଦର୍ଶକଙ୍କ ଉତ୍ସାହ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି ଦ୍ୱିତୀୟ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ । ପଦ୍ମପୁରର ଅବର୍ଣିଗୁଣା ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ମହୋତ୍ସବର ଶେଷ ସନ୍ଧ୍ୟାରେ ନାଟକ, କଳା ଓ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା । ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବର୍ଣିଗୁଣା ନାଟ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ପ୍ରମୋଦ କୁମାର ପାଢ଼ୀ ଏବଂ ପଦ୍ମପୁରର ପୂର୍ବତନ ନଗରପାଳ ତଥା ସାଂସଦ ପ୍ରତିନିଧି ପ୍ରୀତମ ମେହେର ଯୋଗ ଦେଇଥିଲେ । ସଂସଦର ସଭାପତି ଚିନ୍ମୟ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଅଶୋକ କୁମାର ବୋହିଦାର ମଞ୍ଚାସୀନ ଥିଲେ । ଇଷ୍ଟଦେବୀ ମା’ ସମଲେଶ୍ୱରୀ ଓ ନୃସିଂହ ମହାପ୍ରଭୁଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପ ଅର୍ପଣ କରିଥିଲେ । ଏହି ଅବସରରେ ନାଟ୍ୟଜଗତର ପରଦା ଆଗ ଓ ପରଦା ପଛରେ ରହି ନିଜର ଅବଦାନ ରଖିଥିବା ବରିଷ୍ଠ କଳାକାରଙ୍କ ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜକୁ ଦିଗ୍ଦର୍ଶନ ଦେଉଥିବା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଦ୍ୱିତୀୟ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବର ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଉଦ୍ଯାପନୀ ସନ୍ଧ୍ୟାର ନାଟ୍ୟାନୁଷ୍ଠାନରେ ସମ୍ବଲପୁରର ନାଟ୍ୟାଶ୍ରମ ପକ୍ଷରୁ ଡ. ଅତୀଶ କୁମାର ଶତପଥୀଙ୍କ ନିର୍ଦ୍ଦେଶନାରେ ‘ଭାବ୍ ନୁ ଅଭାବ୍’ ନାଟକ ମଞ୍ଚସ୍ଥ ହୋଇଥିଲା । ସେହିପରି ବୁର୍ଲାସ୍ଥିତ ଜ୍ୟୋତି ବିହାରର ଏମ୍.ପି.ଏ. ନାଟ୍ୟାନୁଷ୍ଠାନ ପକ୍ଷରୁ ଡ. ଚନ୍ଦ୍ରକାନ୍ତ ମହାନନ୍ଦଙ୍କ ନିର୍ଦ୍ଦେଶନାରେ ‘ନାଗମଣ୍ଡଳ’ ନାଟକ ପରିବେଷଣ କରାଯାଇଥିଲା । ଉଭୟ ନାଟକର କଳାତ୍ମକ ପରିବେଷଣ ଓ ସାମାଜିକ ବାର୍ତ୍ତା ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା । ଶୀତୁଆ ସନ୍ଧ୍ୟାରେ ଦର୍ଶକମାନେ ନାଟକର ଭରପୂର ମଜା ନେଇଥିଲେ । ଅତିଥିମାନେ ନିଜ ଅଭିଭାଷଣରେ ସମାଜରେ ନାଟକର ଗୁରୁତ୍ୱ ଓ ଏହା ଏକ ଦର୍ପଣ ଭଳି ସମାଜର ବାସ୍ତବ ଚିତ୍ର ପ୍ରତିଫଳିତ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥାଏ ବୋଲି ମତପ୍ରକାଶ କରିଥିଲେ । ଏଥିସହ ଅବର୍ଣିଗୁଣା ନାଟ୍ୟ ସଂସଦର ଜନ୍ମ, ଏହାର ଗଠନ ପଛର ଉଦ୍ଦେଶ୍ୟ ଏବଂ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୀର୍ଘଦିନ ଧରି ନାଟ୍ୟକଳାର ପରମ୍ପରାକୁ ବଞ୍ଚାଇ ରଖିବାର ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ମହୋତ୍ସବ ପଦ୍ମପୁର ଅଞ୍ଚଳରେ ନାଟ୍ୟକଳାର ପ୍ରଚାର, ପ୍ରସାର ଓ ନୂତନ ପିଢ଼ି ମଧ୍ୟରେ ମଞ୍ଚନାଟକ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା ।