jayashree

ଲୋହରପାଲି ଆଶ୍ରମ ବିଦ୍ୟାଳୟରେ ଧରତୀ ଆବା ବୀର୍ସା ମୁଣ୍ଡା ଜୟନ୍ତୀ ଓ ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲୋହରପାଲି ଆଶ୍ରମ ବିଦ୍ୟାଳୟ ପରିସରରେ ମହାନ ଆଦିବାସୀ ଜନନାୟକ ଧରତୀ ଆବା ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଅଭିଭାବକ ବୈଠକ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ରାଜକୁମାର ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲୋହରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହର ବାନିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସେହିପରି ପୁରେନା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଅଶୋକ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭରତ ବିଶ୍ୱାଳ, ଲୋହରପାଲି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ରାଉତିଆ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଋକ୍ମଣ ପ୍ରଧାନ ଏବଂ ଶିକ୍ଷକ ହରିବୋଲ ମାଝୀ ପ୍ରମୁଖ ଯୋଗଦେଇଥିଲେ । ସଭାରେ ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର୍ସା ମୁଣ୍ଡାଙ୍କ ଜୀବନୀ, ଦେଶ ଓ ଜାତି ପାଇଁ ତାଙ୍କର ତ୍ୟାଗ, ସାହସ, ସଂଘର୍ଷ ଏବଂ ଆଦିବାସୀ ସମାଜର ଅଧିକାର ପାଇଁ ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ । ବୀର୍ସା ମୁଣ୍ଡା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରି ସମାଜକୁ ଏକତା, ସାହସ ଓ ସ୍ୱାଭିମାନର ବାର୍ତ୍ତା ଦେଇଥିଲେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏଥିସହିତ ଅଭିଭାବକ ବୈଠକରେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ପାଠପଢ଼ା, ନିୟମିତ ବିଦ୍ୟାଳୟ ଉପସ୍ଥାନ, ଶୃଙ୍ଖଳା ଏବଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ସମସ୍ତଙ୍କ ଉପସ୍ଥିତି ଓ ସହଯୋଗରେ ଧରତୀ ଆବା ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ସହ ଅଭିଭାବକ ବୈଠକ ସଫଳତାର ସହ ସମାପନ ହୋଇଥିଲା ।

Leave A Reply

Your email address will not be published.