jayashree

ଧାନ ସଂଗ୍ରହ ପାଇଁ ପ୍ରସ୍ତୁତ ବଲାଙ୍ଗିର ଜିଲ୍ଲା, ୧୨୩୨୬୩ ଚାଷୀ କରିଛନ୍ତି ପଞ୍ଜୀକରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଖରିଫ ବିପଣନ ଋତୁ ୨୦୨୬-୨୭ରେ ବଲାଙ୍ଗିର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ, ସ୍ୱଚ୍ଛ ଓ ଅବାଧ ଭାବେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, କ୍ୟାବିନେଟ୍ ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)ଙ୍କ ପ୍ରତିନିଧି, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତିଙ୍କ ସମେତ ଯୋଗାଣ, ସମବାୟ, କୃଷି, ଜଳସେଚନ ଓ ନିୟନ୍ତ୍ରିତ ବଜାର କମିଟିର ବିଭିନ୍ନ ଅଧିକାରୀ ତଥା କମିଟିର ସଦସ୍ୟମାନେ ଯୋଗଦେଇଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ବେଶ୍ରା ଉପସ୍ଥିତ ଅତିଥି ଓ ଅଧିକାରୀମାନଙ୍କୁ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାର ପ୍ରସ୍ତୁତି, କାର୍ଯ୍ୟକାରିତା ଏବଂ ଏହାର ସଫଳ ପରିଚାଳନା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ୧୪ତାରିଖଠାରୁ ଖରିଫ ଧାନ ସଂଗ୍ରହ ଆରମ୍ଭ କରାଯିବ । ଏଥିନିମନ୍ତେ ୧୫୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରାଯିବ । ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ନିମନ୍ତେ ଜିଲ୍ଲାର ମୋଟ ୧୨୩୨୬୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ଆବଶ୍ୟକୀୟ ମୌଳିକ ଓ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ କରାଯାଇଥିଲା । ଚାଷୀମାନେ ଯେପରି ନିଜର ଉତ୍ପାଦିତ ଧାନ ବିକ୍ରୟ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସହଜ, ସୁବିଧାଜନକ ଓ ସ୍ୱଚ୍ଛ ପରିବେଶରେ ଧାନ ବିକ୍ରୟ କରିପାରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା ସମୟୋଚିତ ଭାବେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ଧାନ ସଂଗ୍ରହ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ସୂଚନା ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟାପକ ସଚେତନତା ଓ ପ୍ରଚାରପ୍ରସାର କରିବାକୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକମାନଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି କ୍ୟାମେରା ସ୍ଥାପନ ଓ ଏହାର ନିରବଚ୍ଛିନ୍ନ କାର୍ଯ୍ୟକାରିତା, ଧାନ ସଂଗ୍ରହ ସମ୍ପର୍କିତ ଆବଶ୍ୟକୀୟ ରେଜିଷ୍ଟର ଓ ରେକର୍ଡ ସଂରକ୍ଷଣ ଏବଂ ଅନିୟମିତତା ରୋକିବା ପାଇଁ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରି ନିୟମିତ ଯାଞ୍ଚ ଓ ତଦାରଖ କରିବା ଉପରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ଲୋକପ୍ରତିନିଧି ମାନଙ୍କ ନିକଟରୁ ଧାନ ସଂଗ୍ରହ ସମ୍ପର୍କରେ ମିଳୁଥିବା ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ କରିବା ସହ ତଦନ୍ତର ନିଷ୍କର୍ଷ ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସମ୍ପୃକ୍ତ ଲୋକପ୍ରତିନିଧି ମାନଙ୍କୁ ଅବଗତ କରାଇବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ । ବୈଠକର ସଫଳ ଆୟୋଜନ ଓ ପରିଚାଳନାରେ ସହାୟକ ଯୋଗାଣ ଅଧିକାରୀ (ସଦର ମହକୁମା) ପୀତବାସ ମଲ୍ଲିକ, ଶରତ କୁମାର ରାଉତଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.