
ପଦ୍ମପୁର, (ନିରୋଜ କୁମାର ପାଣି) : ଏକ ସୁସ୍ଥ, ସଚେତନ ଏବଂ ପିରିଅଡ୍-ଫ୍ରେଣ୍ଡଲି ସମାଜ ଗଠନର ଲକ୍ଷ୍ୟ ନେଇ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ଓ କେର୍ମେଳାବାହାଲର ବିଜାଡିହି ଗ୍ରାମରେ ପଲ୍ଲୀ ଆଲୋକ ପାଠାଗାର ଓ ରିବୁଲ୍ଡ ଇଣ୍ଡିଆ ସହାୟତାରେ ମାସିକ ସ୍ୱାସ୍ଥ୍ୟ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ମାସିକ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ସହିତ ସମାଜରେ ରହିଥିବା ଅନ୍ଧବିଶ୍ୱାସ ଓ ଲଜ୍ଜ୍ୟାବୋଧକୁ ଦୂର କରିବା । ଏହି ସଚେତନତା କାର୍ଯ୍ୟକ୍ରମରେ ପାଇକମାଲର ସିଡିପିଓ ବାସନ୍ତି ପୂର୍ତ୍ତି ସୁପରଭାଇଜରମାନେ, ଅଙ୍ଗନୱାଡି କର୍ମୀ (ଏଡବ୍ଲୁଡବ୍ଲୁଏସ୍), ଆଶାକର୍ମୀ, ଏଏନଏମ୍, ୱାର୍ଡ ସଦସ୍ୟ, ସ୍ଥାନୀୟ ମାଆମାନେ ଏବଂ କିଶୋରୀ ଗୋଷ୍ଠୀର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସିଡିପିଓ ମାସିକ ସ୍ୱାସ୍ଥ୍ୟ ନେଇ ଖୋଲା ଆଲୋଚନା କରିଥିଲେ ଏବଂ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । କାର୍ଯ୍ୟକ୍ରମରେ ପଲ୍ଲୀ ଆଲୋକ ପାଠାଗାରର ଲିଲିମା ପ୍ରଧାନ ମାସିକ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ, ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ, ସ୍ୱଚ୍ଛ ସାନିଟାରୀ ନ୍ୟାପ୍କିନ୍ ବ୍ୟବହାର ଓ ନିୟମିତ ସ୍ୱଚ୍ଛତା ଅଭ୍ୟାସ ଉପରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ । ମହିଳା ଓ କିଶୋରୀମାନଙ୍କୁ ନିର୍ଭୟ ଭାବରେ ନିଜ ସମସ୍ୟା ଆଲୋଚନା କରିବାକୁ ଉତ୍ସାହିତ କରାଇଥିଲେ । ଏହାସହ କାର୍ଯ୍ୟକ୍ରମରେ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ କିଶୋରୀମାନଙ୍କ ମଧ୍ୟରେ ମାସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ବୃଦ୍ଧି ପାଇଥିଲା । ସଚେତନତା ବୃଦ୍ଧି ପାଇଁ ଚିତ୍ରାଙ୍କନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନେ ସୁନ୍ଦର ସଚେତନତାମୂଳକ ଚିତ୍ର ଅଙ୍କନ କରିଥିଲେ । ଅନ୍ତେ ସମସ୍ତ କିଶୋରୀ ଓ ମହିଳାମାନଙ୍କୁ ସାନିଟାରୀ ନ୍ୟାପ୍କିନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସମାଜରେ ମାସିକ ସ୍ୱାସ୍ଥ୍ୟ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ସହିତ କିଶୋରୀ ଓ ମହିଳାମାନଙ୍କୁ ସଚେତନ କରିବାରେ ଏକ ସଫଳ ପଦକ୍ଷେପ ରୂପେ ପରିଗଣିତ ହୋଇଛି । ଶେଷରେ ପ୍ରଶାନ୍ତ ଥପା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।