mahavir

ପ୍ରଭୁ ନୃସିଂହଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଠାରେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତଥା ପ୍ରଭୁ ନୃସିଂହଙ୍କ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳନ ହୋଇଯାଇଛି । ଏହି ଅବସରରେ ସୋନପୁର ସହରର ବଡ଼ବଜ଼ାର ସ୍ଥିତ ଶ୍ରୀ ନୃସିଂହ (ଗୁଣ୍ଡିଚା) ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମଯଜ୍ଞ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନୃସିଂହ ନାମଯଜ୍ଞ କମିଟି ପକ୍ଷରୁ ଆୟୋଜିତ ନାମଯଜ୍ଞ ପାଇଁ ଗତକାଲି କଳସ ଯାତ୍ରାରେ ଶତାଧିକ ମହିଳା ମହାନଦୀ ତେନ୍ତୁଲିଘାଟରୁ କଳସରେ ଜଳଆଣି ନାମଯଜ୍ଞ ମଣ୍ଡପରେ ସ୍ଥାପନ କରିବା ପରେ ପୂଜାକାର୍ଯ୍ୟ ସହ ଅଧିବାସ ସମ୍ପନ୍ନ ହୋଇଥିଲା । ନୃସିଂହ ମନ୍ଦିରର ମୁଖ୍ୟ ପୂଜକ ସରୋଜ କର ଓ ଆନନ୍ଦ ଦାଶଙ୍କ ତତ୍ତ୍ଵାବଧାନରେ ପୂଜାକାର୍ଯ୍ୟ ତଥା ନାମଯଜ୍ଞ ସମ୍ପାଦିତ ହୋଇଥିବାବେଳେ ଚଳିତ ବର୍ଷ ଶଶାଙ୍କ ଶେଖର ମିଶ୍ର ଏବଂ ମିନାକ୍ଷୀ ମିଶ୍ର ସପତ୍ନିକ କର୍ତ୍ତା ଭାବରେ ଦାୟିତ୍ଵ ତୁଳାଇଥିଲେ । ଏଥର ନାମଯଜ୍ଞରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶୀ ବରଗଡ, ବାଲାଙ୍ଗିର, ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାର ପ୍ରାୟ ୧୬ ଗୋଟି ସଂକୀର୍ତ୍ତନ୍ୟ ଦଳ ସାମିଲ ହୋଇଥିଲେ । ଏହି ଶୁଭ ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରି ବିଭୁ କୃପା ଲାଭ କରିଥିଲେ । ପ୍ରଭୁ ନୃସିଂହଙ୍କ ପୂଜାର୍ଚ୍ଚନା, ହୋମ ଓ ଆଳତୀ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ । ଅପରାହ୍ନରେ ନାମଯଜ୍ଞ ପୂର୍ଣ୍ଣହୂତି ଏବଂ ସଂଧ୍ୟାରେ ସଂକୀର୍ତ୍ତନ୍ୟ ଦଳ ପକ୍ଷରୁ ସୁନ୍ଦର ବୈଠକି ରାତ୍ର ୧୧ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପୂର୍ଣ୍ଣାହୂତି ଓ ବୈଠକି ସଂକୀର୍ତ୍ତନ ପରେ ଉଭୟ ବେଳା ଅନ୍ନ ଭୋଜନ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତ ପ୍ରସାଦ ସେବନ କରିଥିଲେ । ନାମଯଜ୍ଞ କମିଟିର ସଭାପତି ଗୌରୀଶଙ୍କର ମହାପାତ୍ର, ସମ୍ପାଦକ ପବିତ୍ର ସାହୁ, ଉପସଭାପତି ଗିରିଧାରୀ ତରିଆ, ସହସମ୍ପାଦକ ରାଜେନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ମୁନା ବାରିକ, ସୀତାରାମ ମହାପାତ୍ର, ବୈଦ୍ୟନାଥ ସାହୁ, ସତ୍ୟ ନାରାୟଣ ମିଶ୍ର, ସଦାନନ୍ଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.