ଏସ୍‌ସିଏସ୍ କଲେଜରେ ଏନ୍‌ସିସି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗତକାଲି ଅପରାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ୱେବ୍‌ନାର ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଜାତା ମିଶ୍ର ଅଧ୍ୟକ୍ଷତା କରି ପରିବେଶର ସୁରକ୍ଷା ପାଇଁ ଆଜିର ଛାତ୍ର ସାମାଜ ଆଗେଇ ଆସି ଦାୟିତ୍ଵବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏନ୍.ସି.ସି. କମାଣ୍ଡିଂ ଅଫିସର କର୍ଣ୍ଣେଲ୍ ସୁଦର୍ଶନ ଯୋଶୀ, ଏନ୍.ସି.ସି. ପ୍ରଶାସନିକ ଅଧିକାରୀ କର୍ଣ୍ଣେଲ ପ୍ରସନ୍ନ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକର ଭୁମିକା ଓ ଏହାର ନିରାକରଣ ଦିଗରେ ଏବେ ଠାରୁ ଏନ୍‌ସି ସି କ୍ୟାଡ଼େଟ୍ ମାନେ ନେତୃତ୍ୱ ନେଇ ଜନସଚେତନତା କରିବାକୁ ପରାମର୍ଶ ଦେଇଥିଲେ । ଫକୀର ମୋହନ ବିଶ୍ଵବିଦ୍ୟାଳୟ ବାଲେଶ୍ୱରର ପରିବେଶ ବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର ଡ଼ଃ ପ୍ରକାଶ ଚନ୍ଦ୍ର ମିଶ୍ର ଓ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ବନ୍ୟ ସଂରକ୍ଷଣ ଅଧିକାରୀ ସୁରେନ୍ଦ୍ର ନାଥ ବିଶ୍ଵାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପରିବେଶର ସୁରକ୍ଷା ପାଇଁ ସମସ୍ତ ଛାତ୍ର ସମାଜ ଆଜି ଠାରୁ ଦାୟିତ୍ଵବାନ ହୋଇ ନିଜ ଘରୁ ସାହିରୁ ତଥା ଗ୍ରାମ ଓ ସହରରୁ କିଛି କିଛି ଛୋଟ ଛୋଟ କାର୍ଯ୍ୟରୁ ଆରମ୍ଭ କରିବା ପାଇଁ ଉପସ୍ଥିତ ଥିବା ଯୁବ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ବିଶ୍ଵାଳ ପରିବେଶ ସନ୍ତୁଳନ ପାଇଁ ବୃକ୍ଷର ଭୂମିକା ସମ୍ପର୍କରେ ଆଲୋକପାତ କରି ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ସହ ଏହାର ରକ୍ଷଣାବେକ୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଏନସିସି କ୍ୟାଡ଼େଟ୍ ମାନେ ନିଜର ସ୍ଵ ଅଙ୍କିତ ଚିତ୍ର ତଥା ସ୍ଲୋଗାନ ମାନ ପ୍ରଦର୍ଶନ କରି ପରିବେଶର ସୁରକ୍ଷା ଦିଗରେ ସମାଜକୁ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଏନ୍‌ସିସି ଛାତ୍ରଛାତ୍ରୀ ଓ ଅନେକ ଶିକ୍ଷକଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ତଥା ଶିକ୍ଷକ ବହୁସଂଖ୍ୟାରେ ଯୋଗଦେଇଥିଲେ । ଏହି ମହାବିଦ୍ୟାଳୟର ଏନ୍‌ସିସି ଅଧିକାରୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ ଏହି କାର୍ଯ୍ୟକ୍ରମଟିକୁ ଦକ୍ଷତାପୂର୍ଣ୍ଣ ସୁପରିଚାଳନା କରି ପରିବେଶ ପ୍ରଦୂଷଣର ପରିଣାମ ସମ୍ପର୍କରେ ଏବେଠାରୁ ଚିନ୍ତା କରିବା ସହିତ ଏହାର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

six + thirteen =