jayashree

ପାଇକମାଲ ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ, ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ଚିତ୍ତାକର୍ଶକ ପ୍ରଦର୍ଶନ ଓ ପୁରସ୍କାର ବିତରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକସ୍ତରୀୟ ବାର୍ଷିକ ଶିଶୁ ମହୋତ୍ସବ ‘ସୁରଭି’ ଲଖମରାସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ବାସନ୍ତୀ ବାଲାମ, ପାଇକମାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ଲଖମରା ସମିତି ସଭ୍ୟା ଶିବାନୀ ଲୁହାର, ଏବିଇଓ ବିସିକେଶନ ଶତପଥି, ବିଆର୍‌ସିସି ରାଧେଶ୍ୟାମ ମେହେର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରଜ ପଟ୍ଟନାୟକ ଏବଂ ପରିଚାଳନା ସମିତି ସଭାପତି ବାଳକୃଷ୍ଣ ନାଏକ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବ୍ଲକ୍‌ର ୧୫ଟି କ୍ଲଷ୍ଟରରୁ ଆସିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌, ସଙ୍ଗୀତ, ଚିତ୍ରାଙ୍କନ, ବିତର୍କ, ବକ୍ତୃତା, ନୃତ୍ୟ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ବରଗଡ ସାଂସଦଙ୍କ ପ୍ରତିନିଧି ହରିହର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି ସଭାରେ ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୁଏ, ପାଇକମାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ଏବିଇଓ ବିସିକେଶନ ଶତପଥି, ରାଧେଶ୍ୟାମ ମେହେର, ଦୁବରାଜ ବେସରା, ଚକାମନ ସୁନା ଏବଂ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ମଞ୍ଚାସୀନ ଥିଲେ । ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଭାରତ ସରକାରଙ୍କ ସିନିୟର ଫେଲୋସିପ ପ୍ରାପ୍ତ ବରିଷ୍ଠ ନୃତ୍ୟ ଗୁରୁ ସୁରେନ୍ଦ୍ର ସାହୁ, ଓଡିଶା ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ରମେଶ ଗୁର୍ଲା, ନୃତ୍ୟ ସାଧିକା ମିନାକ୍ଷୀ ଭୋଇ ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଦାୟିତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମର ସମସ୍ତ ବିଚାରକ ଗଣଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହକୁ ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହରର ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ ଓ ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ପ୍ରଧାନ ସଂଯୋଜନା କରିଥିଲେ । ସିଆର୍‌ସିସି ବୈଷ୍ଣବ ପଣ୍ଡା ଓ ସୁଜାତା ଧରୁଆ, ଚକ୍ରଧର ଅଜଗର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଲକର ସମସ୍ତ ସିଆରସିସି ଓ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ପରିଚାଳନାରେ ସହଯୋଗ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.