jayashree

ଦୁଇ ସପ୍ତାହର ଆତଙ୍କର ଅନ୍ତ, ବନ ବିଭାଗ କବ୍‌ଜାରେ ହିଂସ୍ର ଭାଲୁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦୀର୍ଘ ଦୁଇ ସପ୍ତାହ ଧରି ଆତଙ୍କ ଖେଳାଇଥିବା ହିଂସ୍ର ଭାଲୁକୁ ଶେଷରେ କାବୁ କରିଛି ବନ ବିଭାଗ। ଭାଲୁ ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବାରୁ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଥିଲା। ବିଶେଷକରି ପାର୍ବଣ ସମୟରେ ଜନବସତି ଭିତରକୁ ଭାଲୁ ପଶି ଆସୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। ଭାଲୁକୁ ତୁରନ୍ତ ଧରିବା ପାଇଁ ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଦାବି କରିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦେଖି ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଭିଯାନ। ବଲାଙ୍ଗିରରୁ ଆସିଥିବା ଆର୍‌ଆର୍‌ଟି ଟିମ୍‌, ସ୍ଥାନୀୟ ବନ କର୍ମଚାରୀ ଏବଂ ଡ୍ରୋନ୍ କ୍ୟାମେରା ସହାୟତାରେ ଭାଲୁର ଗତିବିଧି ଉପରେ ନଜର ରଖାଯାଇଥିଲା। ଶେଷରେ ଦୀର୍ଘ ଦୁଇ ସପ୍ତାହର ଅକ୍ଳାନ୍ତ ପରିଶ୍ରମ ପରେ ମଙ୍ଗଳବାର ଭାଲୁଟିକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ। ଭାଲୁ ଧରାପଡ଼ିବା ପରେ କଣ୍ଟାବାଞ୍ଜି ସହରବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ଫେରିଛି। ଦୀର୍ଘଦିନର ଭୟ ଓ ଆତଙ୍କରୁ ମୁକ୍ତି ମିଳିଥିବାରୁ ସ୍ଥାନୀୟ ଲୋକେ ବନ ବିଭାଗର ଉଦ୍ୟମକୁ ପ୍ରଶଂସା କରିବା ସହ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.