ବଲାଙ୍ଗିର, (କେପିଏନ୍ଏସ୍) : ଶିକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲା – ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (ଏଫ୍ଏଲ୍ଏନ୍) ଦିବସ ପାଳିତ ହୋଇଛି । ଉତ୍ସବରେ ଆଦ୍ୟ-ଶୈଶବ ସ୍ତରର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏଫ୍ଏଲ୍ଏନ୍ର ଉଦ୍ଦେଶ୍ୟ ଓ ଜିଲ୍ଲାରେ ଚାଲିଥିବା ଏହାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଉତ୍ସବରେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବଲାଙ୍ଗିରର ଅଧ୍ୟକ୍ଷ, ପ୍ରାଧ୍ୟାପକ ଡ. ଗରୁଡଧ୍ଵଜ ବାରିକ ଅନୁଷ୍ଠାନର ଗୁରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏଫ୍ଏଲ୍ଏନ୍ ଶିକ୍ଷଣ ସାମଗ୍ରୀ ମେଳା ଓ ଏଫ୍ଏଲ୍ଏନ୍ ପ୍ରକୋଷ୍ଠ ପରିଦର୍ଶନ କରିଥିଲେ । ଏଥିରେ ସହକାରୀ ପ୍ରାଧ୍ୟାପକ ଡ. ସୁଧୀର କୁମାର ସାହୁ, ଡ. ଅଜିତ କୁମାର ପ୍ରଧାନ, ଡ. ଲଲିତ କୁମାର ପାତ୍ର, ଡ. ନିବେଦିତା ସାହୁ ଓ ଇ. ଟି. ଇ. ଆଇ., ବଲାଙ୍ଗିରର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଳିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ସଭାପତିତ୍ତ୍ଵ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଜୟ ପ୍ରକାଶ ଦାଶ ଓ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ସପନା ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।