pakka

ସମ୍ଭାବ୍ୟ ତୃତୀୟ ଲହର କରୋନାକୁ ପ୍ରତିହତ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବହୁବିଧ ପଦକ୍ଷେପ

bbehera
  • ଦୁଇଅଙ୍କକୁ ଖସିଲା ସଂକ୍ରମଣ : କୋଭିଡ କଟକଣାକୁ ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଗସ୍ତ କରିବା ସହ ହୋମ ଆଇସୋଲେସନ୍‌ରେ ଥିବା କୋଭିଡ ରୋଗୀ ତଥା କୋଭିଡ ଯତ୍ନ କେନ୍ଦ୍ର ଗୁଡିକୁ ଯାଇ ତୃଣମୂଳ ସ୍ତରରେ ଅଧିକାରୀ ଓ ରୋଗୀଙ୍କ ସହ ସିଧାସଳଖ ଭାବ ବିନିମୟ କରି ରୋଗୀଙ୍କ ମନୋବଳକୁ ଦୃଢିଭୂତ କରୁଛନ୍ତି । ଏହି କ୍ରମରେ ଗତକାଲି ପିଡିଡିଆରଡିଏ, ଡୋଳାମଣି ପଟେଲ ଡୁଙ୍ଗୁରିପାଲି ବ୍ଲକ ଗସ୍ତ କରି ସାମ୍ପ୍ରତିକ କରୋନା ସ୍ଥିତିର ଅନୁଧ୍ୟାନ କରି ଘରେ ଚିକିତ୍ସିତ କୋଭିଡ ରୋଗୀଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭୪୬ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୯୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଜିଲ୍ଲାର କରୋନା ଆରୋଗ୍ୟ ସଂଖ୍ୟା ୪୪୫ ଥିବା ବେଳେ ଏହାର ହାର ୯୩.୨୬ ପ୍ରତିଶତ ରହିଛି । ୧୮ ତାରିଖରେ ଜିଲ୍ଲାରେ ୧୭୦୦ ଜଣଙ୍କୁ କରୋନା ଟୀକା ଦିଆଯାଇଛି ଏବଂ ଏହିଦିନ ୯୫ ଜଣ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ହୋମ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଇଛି ଏବଂ ପ୍ରାୟ ସମସ୍ତେ ଆରୋଗ୍ୟ ଲାଭ କରୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ରାପିଡ଼ ରେସପୋନ୍ସ ଟିମ୍‌ର ଡାକ୍ତର ଏବଂ ସହାୟକ ଦଳ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷଣ ନଜର ରଖିବା ସହିତ ଆବଶ୍ୟକ ଔଷଧ ଓ ଚିକିତ୍ସା ପରାମର୍ଶ ଯୋଗାଇ ଦେଉଛନ୍ତି । ସୋନପୁର ଓ ଡୁଙ୍ଗୁରିପାଲିଠାରେ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟକୁ ସମ୍ଭାବ୍ୟ କୋଭିଡ ପରିସ୍ଥିତିର ମୁକାବିଲା କରିବା ପାଇଁ ଆବଶ୍ୟକ ଶଯ୍ୟା, ଆସିୟୁ ଏବଂ ପାଇପ ଲାଇନ ଅକ୍ସିଜେନ ଯୋଗାଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ପ୍ରତି ବ୍ଲକରେ ଡାକ୍ତର ଓ ସହାୟକମାନଙ୍କୁ ନେଇ ଗଠିତ ରାପିଡ଼ ରେସପୋନ୍ସ ଟିମ ଜିଲ୍ଲାରେ ଦେଖାଦେଇଥିବା କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ସିଧା ସଳଖ ଅନୁଧ୍ୟାନ କରି ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରୁଛନ୍ତି । ଜିଲ୍ଲାର ପ୍ରତି ବ୍ଲକରେ ବରିଷ୍ଠ ଅଧିକାରୀମାନେ ପ୍ରତିଦିନ ଭିଡିଓ କଲ ମାଧ୍ୟମରେ ବିଭିନ୍ନ କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି । ଜିଲ୍ଲାର ମୁଖ୍ୟ କୋଭିଡ ନିୟନ୍ତ୍ରଣ କକ୍ଷ ସୋନପୁର ମ୍ୟୁନିସିପାଲିଟିର ସଭା ଗୃହରେ ୨୪x୭ ଘଣ୍ଟା କାର୍ଯ୍ୟକ୍ଷମ ରହିଛି ଏବଂ ଏହା ଜିଲ୍ଲାର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ପରିସ୍ଥିତି ଉପରେ ନଜର ରଖିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର କୋଭିଡ ନୋଡାଲ ଅଧିକାରୀ ଡେପୁଟି କଲେକ୍ଟର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରତିଦିନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରୁଛନ୍ତି । କରୋନା ଦୈନିକ ସଂକ୍ରମଣ ଶହେରୁ ଖସି ଦୁଇ ଅଙ୍କରେ ରହିବା ଜିଲ୍ଲା ପାଇଁ ଗୋଟିଏ ଆଶ୍ୱାସନାର ଖବର । ଏହା ସହିତ ସମସ୍ତେ ମାସ୍କ ପରିଧାନ କରିବା, ନିର୍ଦ୍ଧିଷ୍ଟ ନିରାପଦ ଦୂରତ୍ୱ ବଜାୟ ରଖିବା ଏବଂ ସମସ୍ତ କୋଭିଡ ନିର୍ଦେଶାବଳି ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

five + 1 =