ବକେୟା ପ୍ରାପ୍ୟ ପ୍ରଦାନ ଦାବୀରେ ପାଚିକା ସହାୟିକା ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପାଚିକା ସହାୟିକା ମାନଙ୍କ ୨୮ ମାସର ବକେୟା ପ୍ରାପ୍ୟ, ମାର୍ଚ୍ଚ ମାସରୁ ସେପ୍‌ଟେମ୍ବର ମାସର ଦରମା ଓ ଶାଢୀ ପ୍ରଦାନ ଦାବୀରେ ନିଖିଳ ଓଡିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ଓ ବିଇଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ସ୍ୱଳ୍ପ ଦରମାରେ ସମସ୍ତ ସ୍କୁଲ କାର୍ଯ୍ୟ ଦିବସରେ ଏମ୍‌ଡିଏମ୍‌ ଭୋଜନ ପ୍ରସ୍ତୁତ କରନ୍ତି ପାଚିକା ସହାୟିକା । କିନ୍ତୁ ଗତ ୨୦୦୯ ନଭେମ୍ବର ମାସରୁ ୨୦୧୨ ଅପ୍ରେଲ ମାସ ପର୍ଯ୍ୟନ୍ତ ଉକ୍ତ ସହାୟିକାମାନେ ତାଙ୍କର ୨୮ ମାସର ପ୍ରାପ୍ୟ ପାଇନାହାନ୍ତି । ଏପରିକି ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଲିଖିତ ଅଭିଯୋଗ ସହ ଦୃଷ୍ଟି ଆକର୍ଷଣ କରିଛନ୍ତି । ତଥାପି ବିଭାଗ ଉକ୍ତ ପ୍ରାପ୍ୟ ପ୍ରତି ଧ୍ୟାନ ଦେଇନାହାନ୍ତି । ଫଳରେ ଉକ୍ତ ସହାୟିକା ପରିବାର ବହୁ ଆର୍ଥିକ ଅଭାବରେ ଚଳୁଥିବା ବେଳେ ପରିବାର ପରିପୋଷଣ ଦିଗରେ ମଧ୍ୟ ଅସୁବିଧା ଭୋଗୁଥିବା କହିଛନ୍ତି । ଏହାସହ ଚଳିତ ବର୍ଷ ମହାମାରୀ କରୋନା ସମୟର ମଧ୍ୟ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦରମା ବକେୟା ରହିଥିବା ବେଳେ ସହାୟିକାମାନଙ୍କ ଶାଢୀ ପ୍ରାପ୍ୟ ମଧ୍ୟ ମିଲିନାହିଁ । ତେଣୁ ଉପରୋକ୍ତ ସମସ୍ତ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ ପାଇଁ ପାଚିକା ସହାୟିକା ସଂଘ ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ସହାୟିକାମାନେ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବୀପତ୍ରକୁ ଲୋଇସିଂହା ବିଡିଓ ଓ ବିଇଓଙ୍କୁ ପ୍ରଦାନ କରିଥିଲେ । ଏଥିରେ ବ୍ଲକ ସଂଘ ସଭାନେତ୍ରୀ ସୁଜାତା ଓ ସଂପାଦିକା ବାସନ୍ତୀ ଧରୁଆ ସମେତ ବହୁ ସହାୟିକା ସାମିଲ ଥିଲେ ।

Leave A Reply

Your email address will not be published.