ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଶା ଓ ଅଙ୍ଗନବାଡି କର୍ମୀମାନେ ଏହି ଦିନମାନଙ୍କରେ ଘରକୁ ଘର ଯାଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡାଜଲ ଓ ଡି.ଇ.ସି ଟ୍ୟାବଲେଟ ଖୁଆଇବେ । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଥିବା ଏବଂ ପେଟପୁରା ଖାଦ୍ୟ ଖାଇବା ପରେ ଔଷଧ ସେବନ କରିବା ନିମନ୍ତେ ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ବୈଠକରେ ସୂଚନା ଦେବା ସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଔଷଧ ୨ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା, କିମ୍ବା ଗୁରୁତର ରୋଗରେ ପୀଡିତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସେବନ କରାଯିବ । ଆମ ଜିଲ୍ଲାରେ ଗତ ବର୍ଷ ଫାଇଲେରିଆ ସର୍ବେକ୍ଷଣରେ ଜିଲ୍ଲାର ପ୍ରାୟ ଶତକଡା ୩ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ମାତ୍ର ଗତବର୍ଷ ସାମୁହିକ ଔଷଧ ସେବନ ପରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । କ୍ୟୁଲେକ୍ସ ମଶା ଏହି ରୋଗର ବାହକ ଥିବା ବେଳେ ସମସ୍ୟା ଏହା କି ଏହି ରୋଗ ସଂକ୍ରମଣ ହେବାର ଅନେକ ବର୍ଷ ପରେ ଯାଇ ହାଇଡ୍ରୋସିଲ ଓ ଗୋଦର ଗୋଡ଼ ଆଦି ଲକ୍ଷଣ ରୂପରେ ପ୍ରକାଶ ପାଇଥାଏ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତା କରି ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ ଓ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେବା ସହ କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ବାଦ ନ ପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବା ଏବଂ ସାମୁହିକ ଔଷଧ ସେବନର ନିର୍ଦ୍ଧାରିତ ୦୫ ବର୍ଷ ଅବଧି ମଧ୍ୟରେ ଜିଲ୍ଳାରୁ ଏହି ରୋଗର ମୂଳୋତ୍ପାଟନ ଉପରେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାର ସମସ୍ତ ଗ୍ରାମ ଓ ସହରାଞ୍ଚଳର ଜନବସତି ସମସ୍ତ ଯୋଗ୍ୟ ଲୋକଙ୍କୁ ଔଷଧ ସେବନ କରାଯିବ । କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଘରକୁ ଘର ଯାଇ ଔଷଧ ସେବନ କରିବା ନିମନ୍ତେ ୧୯୬୮ ଜଣ ଔଷଧ ସେବନ କର୍ମୀ ନିୟୋଜିତ କରାଯାଇଛି ପୁନଶ୍ଚ କାର୍ଯ୍ୟକୁ ସୁନିଶ୍ଚିତ ଓ ତଦାରଖ କରିବା ନିମନ୍ତେ ୧୯୬ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଡିଇସି ଟ୍ୟାବଲେଟ ଓ ଆଲବେଣ୍ଡାଜଳ ଟ୍ୟାବଲେଟ ଜିଲ୍ଲାକୁ ଆସିବାକୁ ଥିବା ବୈଠକରେ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଏବଂ ବ୍ୟବସ୍ଥିତ ସହ ସୁ ପରିଚାଳନା କରିବା ନିମନ୍ତେ ସେକ୍ଟର ଲେବେଲ, ବ୍ଲକ ଲେବେଲ ଓ ମ୍ୟୁନିସିପାଲିଟି ଲେବେଲରେ ରେପିଡ ରେସପନ୍ସ ଟିମ୍‌ ଗଠନ କରାଯାଇ ଦାୟିତ୍ଵ ଦିଆଯିବା ଉପରେ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଡ଼ଃ ଶ୍ୟାମବନ୍ଧୁ ରଥ, ସଂଗଠନ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇ ଥିବା ସୂଚନା ପ୍ରଦାନ କରି ଜିଲ୍ଲାରେ ଫେଲେରିଆର ସ୍ଥିତି, ଅବସ୍ଥିତି ଓ ତାର ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବ୍ୟବସ୍ଥା ସମ୍ପର୍କରେ ପାୱାର ପ୍ରେଜେଣ୍ଟେସନ ଦ୍ୱାରା ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ଆଜିର ଏହି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତା କରିଥିଲେ, ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ, ଭିଭିଡି ଡ଼ଃ ମଞ୍ଜୁରାଣୀ ସିଂ, ସ୍ୱାସ୍ଥ୍ୟ ଅଧିକାରୀ, ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏଚ୍‌ଓ, ଜିଲ୍ଲା ଟିବି ଅଧିକାରୀ ପଦ୍ମହଂସ ଦୋରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱମ୍ବର ବେହେରା, ଚନ୍ଦ୍ର ଶେଖର ମିଶ୍ର, ଭେକଟର ବାହିତ ରୋଗ ପରାମର୍ଶ ଦାତା, ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସୁବର୍ଣ୍ଣପୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

one × 1 =

error: Content is protected !!