pakka

ରୀତିମତ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ମୋ’ ଝିଅକୁ ମାରିଦେଲେ : ଅଭିଯୋଗ କଲେ କନ୍ୟାପିତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୌତୁକ ନିର୍ଯାତନା, ବଧୂହତ୍ୟା ମାମଲାରେ ବେଶ୍‌ କଡ଼ାକଡ଼ି ଆଇନ ବ୍ୟବସ୍ଥା ରହିଥିବା ସତ୍ୱେ ଏଭଳି ଘଟଣା ସମାଜରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ରୀତିମତ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ମୋ ଝିଅକୁ ମାରିଦେଲେ ବୋଲି ଆଜି ଜଣେ ନିରୀହ ବାପା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତ ୨୦୨୧ ମସିହା ଏପ୍ରିଲ ମାସ ୨୯ ତାରିଖ ଦିନ ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଙ୍କରିଆପଦର ଗ୍ରା.ପ.ର କେସେର୍‌କେଲା ଗାଁର ଦେବ ପଧାନଙ୍କ ଝିଅ ରୁକ୍ମଣୀ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମର ବଶିଷ୍ଟ ସାହୁଙ୍କ ପୁତ୍ର ରଂଜନକୁ ବୈଦିକ ରୀତିରେ ବିବାହ କରିଥିଲେ । ବାପାଙ୍କ ସକ୍ଷମତା ମୁତାବକ ରୁକ୍ମଣୀ ବିବାହ ବେଳେ ଗ୍ଲାମର୍‌ ଗାଡ଼ି ସହ ଆହୁରି ଅନେକ ସାମଗ୍ରୀ ଯୌତୁକରେ ଆଣିଥିଲେ । ଅଭିଯୋଗ ଅନୁସାରେ ଗ୍ଲାମର୍‌ ଗାଡ଼ି ପରିବର୍ତ୍ତେ ପଲ୍‌ସର୍‌ ଗାଡ଼ି ଆଣିବାକୁ ନବବଧୂ ରୁକ୍ମଣୀଙ୍କ ଉପରେ ସ୍ୱାମୀ, ଶାଶୁ ଶ୍ୱରୁର, ଦୁଇ ଦିଅର ତଥା ନଣନ୍ଦଙ୍କ ସ୍ୱାମୀ ଚାପ ପକାଇ ଆସୁଥିଲେ । ଏହି ବିଷୟକୁ ନେଇ ରୀତିମତ ଝଗଡ଼ା ଲାଗି ରହିଥିଲା ଏବଂ ଅକଥନୀୟ ନିର୍ଯାତନା ଭୋଗୁଥିଲେ ରୁକ୍ମଣୀ । ପୁଣି ସ୍ୱାମୀ ରଂଜନ ନିକଟ ଗାଁ ନାରାୟଣପୁରର ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଥିବା ବେଳେ ପତ୍ମୀ ରୁକ୍ମଣୀଙ୍କୁ ସଦାବେଳେ ମାର୍‌ପିଟ୍‌ କରି ଆସୁଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରାଯାଇଛି ।

ତେବେ ଆଜି ସକାଳୁ ରୁ୍‌କ୍ମଣୀଙ୍କ ବାପା ଦେବ ପଧାନଙ୍କୁ ସମୁଦି ବଶିଷ୍ଟ ସାହୁ ଏବଂ ଜ୍ୱାଇଁ ରଂଜନ ଫୋନ୍‌ କରି ତାଙ୍କ ଝିଅ ସିରିଅସ୍‌ ଥିବା କହିବା ସହ ଶୀଘ୍ର ପହଂଚିବାକୁ କହିଥିଲେ । ତେବେ ତୁରନ୍ତ ଦେବ ପଧାନଙ୍କ ପୁତୁରା ରାକେଶ ପଧାନ ଓ ଅନ୍ୟ ସଂପର୍କୀୟମାନେ ପୁଆ ଗ୍ରାମରେ ପହଂଚି ରୁକ୍ମଣୀଙ୍କୁ ଗାଡ଼ି ସାହାଯ୍ୟରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌କୁ ପହଂଚାଇ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୁକ୍ମଣୀଙ୍କ ବେକରେ ରଶି ଲାଗିଥିବା ଦାଗ ରହିଥିବାରୁ ଆତ୍ମହତ୍ୟାର ରୂପ ଦେବାକୁ ତାଙ୍କୁ ବେକରେ ରଶି ଭିଡ଼ି ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ପରିବାର ଲୋକେ କହୁଥିବା ବେଳେ ଦେବ ପଧାନଙ୍କ ପୁତୁରା ରାକେଶ ପଧାନ ଏ ସଂପର୍କରେ ତରଭା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

twenty + fourteen =