mahavir

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମୀକ୍ଷା ଉନ୍ନୟନ ମୂଳକ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ସୋନପୁରର ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କ ମନ୍ଦିର ପରେ ପାତାଳୀ ଶ୍ରୀକ୍ଷେତ୍ର ଏବଂ ମା’ ମେଟାକାନୀଙ୍କ ମନ୍ଦିର ଦର୍ଶନ କରିଥିଲେ । ପରେ ସର୍କିଟ ହାଉସ ଠାରେ ଦଳୀୟ କର୍ମୀଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ । ଏହି ଅବସରରେ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସହରର ବିଭିନ୍ନ ସଂଗଠନ ପକ୍ଷରୁ ସହରର ବିଭିନ୍ନ ସମସ୍ୟା ତଥା ବିକାଶ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନଗର ଉନ୍ନୟନ ବିଭାଗର ସୋନପୁର ପୌରପରିଷଦ, ବିନିକା ଓ ତରଭା ଏନଏସିର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ସହରାଞ୍ଚଳ ବିକାଶ ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ, ଓ ସ୍ଵଚ୍ଛ ପାଣି, ସ୍ଵରେଜ ସିଷ୍ଟମ, ନୂତନ ଏନଏସିର ରୂପରେଖ ଉପରେ, ସହରର ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ପୋଖରୀ ଗୁଡିକର ପୁନରୁଦ୍ଧାର ଉପରେ ସହରୀ ବିକାଶ ଯୋଜନ ଉପରେ ଗୁରୁତ୍ୱ ଦେଇ ସମୀକ୍ଷା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ କାମ ଗୁଡ଼ିକର ଶୀଘ୍ର ବିଲ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅପରାହ୍ନରେ ସୋନପୁର ପୌରପରିଷଦ ଠାରେ ନୂତନ କୋଠାର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ତେଲ ନଦୀ କୂଳ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ରୟାଲ ପଡ଼ିଆ ଉନ୍ନତୀ କରଣ ଏବଂ ୱାର୍ଡ ନଂ ୧୪ ଠାରେ ବହୁମୁଖି ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ନୂତନ ଏନଏସି ବୀରମହାରାଜପୁର ଠାରେ ଅସ୍ଥାୟୀ କାର୍ଯ୍ୟାଳୟର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ, ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର, ସାଂସଦ ପ୍ରତିନିଧି ସାନନ୍ଦ ମେହେର, ବୀରମହାରାଜପୁର ବିଡ଼ିଓ, ପୌରପରିଷଦ ଅଧ୍ୟକ୍ଷା, ତାମସୀ ତାମସ୍ମିତା ନାଏକ, ସୋନପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝି, ବିନିକା ଏନଏସି ଅଧିକାରୀ ମାନସ ଭୋଇ, ତରଭା ଏନଏସି ଅଧିକାରୀ ଲକ୍ଷ୍ମୀକାନ୍ତ ମଲ୍ଲିକ ସମେତ ପୌରପରିଷଦ ଓ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.