
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚାଲିଥିବା ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍ଯାପିତ ଓ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଜୀ ଗୁରୁମାଙ୍କ ଅନୁଶାସନ ଓ ସଂସ୍କାର ମୂଳକ ଶିକ୍ଷାଦାନ ଦ୍ୱାରା ଗୋଟିଏ ଶିଶୁ ସଫଳତା ଶୀର୍ଷରେ ପହଞ୍ଚି ପାରିବ କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତିର ଯୁଗ୍ମ ସମ୍ପାଦକ ଖଗେଶ୍ୱର ଦାଶ ଯୋଗ ଦେଇ ଭାରତ କେନ୍ଦ୍ରୀକ ଶିକ୍ଷଣ ଅଧିଗମ ପ୍ରକ୍ରିୟା ଉପରେ ମାର୍ଗଦର୍ଶନ କରିଥିଲେ । ସମ୍ମାନିତ ଅତିଥି ରୂପେ ପ୍ରାନ୍ତ ବିଦ୍ୱତ ପରିଷଦ ସଭାପତି ଡଃ ବାଞ୍ଛାନିଧି ପଣ୍ଡା, ପଶ୍ଚିମ ସମ୍ଭାଗ ସଂଯୋଜକ ଜ୍ୟୋତି ରଂଜନ ମିଶ୍ର, ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପଧାନ, ସଭାପତି ପୃଥ୍ୱୀରାଜ ସାହୁ, ସମ୍ପାଦକ ଜନକ ଲାଲ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ କାର୍ଯ୍ୟଶାଳାର ବୃତ୍ତ କଥନ କରିଥିଲେ । କାର୍ଯ୍ୟକ୍ରମକୁ ମିନତୀ ପଟ୍ଟନାୟକ ସଂଯୋଜନା କରିଥିଲେ । ଚଳିତ ହାଇସ୍କୁଲ ପରୀକ୍ଷାରେ ଇ୧ ପାଇଥିବା ରଶ୍ମିରେଖା ଗଡ଼ତିଆ, ସିଦ୍ଧାର୍ଥ ଶେଖର ସାହୁ, ଆଲୋକ ରଂଜନ ସାହୁ, ସେଫାଳୀ ପଧାନ ପ୍ରମୁଖଙ୍କୁ ମେଧାବୀ ଅଭିନନ୍ଦନରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଶିକ୍ଷଣରେ ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୧୭୦ ଜଣ ଗୁରୁଜୀ ଗୁରୁମା ଯୋଗ ଦେଇ ପଞ୍ଚପଦୀ ଶିକ୍ଷଣ ପଦ୍ଧତି ଉପରେ ତାଲିମ ନେଇଥିଲେ । ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ସଭାପତି ଗୋପାଳକୃଷ୍ଣ ମିଶ୍ର, ପରିଚାଳନା କମିଟି ସଦସ୍ୟ ଭକ୍ତଚରଣ ସାହୁ, ଜୟନାରାୟଣ ତ୍ରିପାଠୀ ପ୍ରମୁଖ, ଗୋବିନ୍ଦ ପାଣିଗ୍ରାହୀ, ଗୁଣମଣୀ ପଟେଲ, ପ୍ରିତେଶ ବହିଦାର, ସୁରେଶ ରାମଚନ୍ଦାନୀ, ପୂର୍ବ ଛାତ୍ର ପରିଷଦର ସମସ୍ତ ସଭ୍ୟବୃନ୍ଦ, ମାତୃଭାରତୀର ସଭ୍ୟା ବୃନ୍ଦ, ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।