pakka

କଂଗ୍ରେସର ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି : ସଦର ବ୍ଲକ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ନରସିଂହ, ମମିତା ହତ୍ୟାକାଣ୍ଡ, ନାରୀ ନିର୍ଯ୍ୟାତନା, ବ୍ଲକ ଦୁର୍ନୀତି ଓ ଚାଷୀସମସ୍ୟା ହେବ ମୁଖ୍ୟ ପ୍ରସଙ୍ଗ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗକୁ ନିର୍ବାଚନ । ପ୍ରସଙ୍ଗ ଅନେକ । ନାରୀ ନିର୍ଯ୍ୟାତନାରେ ସରକାରୀ ମନ୍ତ୍ରୀମାନଙ୍କର ସଂପୃକ୍ତି, ବ୍ଲକମାନଙ୍କରେ ସରକାରୀ ଦଳ ନେତାଙ୍କ ଦୁର୍ନୀତି, ଚାଷୀ ସମସ୍ୟା ଏବଂ ନିର୍ବାଚନୀ ସଂରକ୍ଷଣରେ ପଛୁଆ ବର୍ଗ ଓ ଜନଜାତିଙ୍କୁ ବାଦ ଦେବା ଘଟଣା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉଦ୍‌ବେଳିତ କରିଛି ବୋଲି ସାଧାରଣରେ ଆଲୋଚନା ଜୋର୍‌ ଧରିଛି । ସାଧାରଣ ଜନତା ଏହି ସବୁ ସମସ୍ୟାରୁ ମୁକୁଳିବା ପାଇଁ ବାରମ୍ବାର ଦାବୀ ଓ ଆନ୍ଦୋଳନ କରୁଥିଲେ ହେଁ ଏହି ଜନ ବିରୋଧୀ ନବୀନ ସରକାର ସେ ସବୁ ଭୃକ୍ଷେପ କରୁନାହିଁ ବୋଲି ମତ ପ୍ରକାଶ ପାଇଛି । ଓଲଟା ଏସବୁ ସମସ୍ୟାର ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ କ୍ରମାଗତ ଭାବେ ସୁରକ୍ଷା ଦେବାରେ ଲାଗିଛି ବୋଲି ମତ ପ୍ରକାଶ ପାଇଛି । ତେଣୁ ଆଜିର ଉପସ୍ଥିତ ଥିବା ବଲାଙ୍ଗିର ସଦର ବ୍ଲକର ପଞ୍ଚାୟତସ୍ତରୀୟ ନେତୃବୃନ୍ଦମାନେ ସରକାରଙ୍କ ଏହି ଦୋଷ ଦୁର୍ବଳତାକୁ ନେଇ ଗାଁକୁ ଗାଁ, ଘରକୁ ଘର ଯାଇ ଲୋକଙ୍କ ଆଗରେ ସରକାରର ମୁଖା ଖୋଲନ୍ତୁ ବୋଲି ଆଜି ସଦର ବ୍ଲକ ସ୍ଥିତ ଛତାମଖନା ଠାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଅନୁଷ୍ଠିତ ହୋଇଥିବା ଏକ ପ୍ରସ୍ତୁତି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ନେତୃବୃନ୍ଦଙ୍କୁ କହିଛନ୍ତି । ବ୍ଲକ କଂଗ୍ରେସ କମିଟି ସଭାପତି ରାମପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଗାଁକୁ କାମ ଦେବା ନାଁରେ ଏହି ସରକାର ଓ ତାଙ୍କ ଦଳର କର୍ମୀମାନେ ଦୁର୍ନୀତି ରେ ଲିପ୍ତ ରହିଛନ୍ତି । ମାଁକୁ ସମ୍ମାନ ଦେବା କଥା କହୁଥିବା ଏହି ସରକାର ମମିତା ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି । ଚାଷୀ ତା’ର ଅମଳର ଠିକ ମୂଲ୍ୟ ପାଉ ନାହିଁ । ପଛୁଆ ବର୍ଗ ତଥା ଆଦିବାସୀଙ୍କୁ ନିର୍ବାଚନୀ ସଂରକ୍ଷଣରୁ ବାଦ ଦେଇ ତାଙ୍କର ସାମ୍ବିଧାନିକ ଅଧିକାରକୁ ହନନ କରିଛି । ଏହି ସବୁ ଚିତ୍ର ଓ ଚରିତ୍ରକୁ ନେଇ ଆମ ଦଳର କର୍ମୀମାନେ ଲୋକଙ୍କ ପାଖକୁ ଯାଇ ସମର୍ଥନ ଲୋଡନ୍ତୁ, ଦେଖିବେ ଦଳ ନିଶ୍ଚିତ ଭାବେ ବିଜୟୀ ହେବ ବୋଲି କହିଛନ୍ତି । ଉପସ୍ଥିତ ଥିବା ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ନେତା ଓ କର୍ମୀମାନଙ୍କ ମଧ୍ୟରେ ଏକତା ରଖି ନିର୍ବାଚନୀ ଯୋଜନାକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରି ପାରିଲେ ଆମେ ନିଶ୍ଚୟ ବିଜୟ ଲାଭ କରିବା ବୋଲି କହିଥିଲେ । ଆଜିର ବୈଠକରେ ସରପଞ୍ଚ ସମିତି ସଭ୍ୟ ତଥା ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଉଭୟ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଚୟନକୁ ନେଇ ବିଭିନ୍ନ ପ୍ରସ୍ତାବ ଆସିଥିଲା । ଜୋନ ୨୨ଟି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଯୋଶବନ୍ତି ବଘାର ଓ ଜୋନ ୨୩ର ନିଳାଦ୍ରୀ ସେଠଙ୍କ ନାମକୁ ନେଇ ଉପସ୍ଥିତ ଥିବା ନେତା ତଥା କର୍ମୀଗଣ ସମ୍ମତି ପ୍ରକାଶ କରିଥିଲେ । ଆଜିର ବୈଠକରେ ଡିସିସି ସଭ୍ୟ ରାଧାକାନ୍ତ ଭୋଇ, ବିଧାୟକ ବ୍ଲକ ପ୍ରତିନିଧି କିଶୋର ସିଂ ନିନା, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ପ୍ରଧାନ, ସଦର ବ୍ଲକ ଉପଧକ୍ଷା ଯୋଶବନ୍ତି ବଘାର, ଲୋକନାଥ କୁମୁରା, ଶ୍ରୀଧର ବାରିକ, ବିଜ୍ଞାନେନ୍ଦ୍ର ମିଶ୍ର, ସଂକୀର୍ତନ ମେହେର, ମୋନା କୁମାରୀ ଭୋଇ, ସଞ୍ଜିବ ପ୍ରଧାନ, ରାଜା ପଣ୍ଡା, ଗୋପି ପଟେଲ, ପ୍ରକାଶ ବରେଇ, ଶ୍ରୀପତି ପ୍ରଧାନ, ପଞ୍ଚା ଘିବେଲା, ମହେନ୍ଦ୍ର ମଲିକଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତରୁ ଦଳୀୟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ଏହି ସଭାରେ କଂଗ୍ରେସ ଦଳର ଆଦର୍ଶ ଓ ନରସିଂହ ମିଶ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଫାସଡର ଯୁବ ନେତା ନିପୁନ ନାଏକ ଓ ସକମାର ପ୍ରେମାନନ୍ଦ ସ୍ୱାଇଁ ଆଜି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

15 − eight =