pakka

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

bbehera
  • ଢେଙ୍କାନାଳର ଜିଲ୍ଲାପାଳ ଏବଂ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ବଦଳି
  • ଆଇଏଏସ୍ ଓ ଆଇପିଏସ୍ ପାଇନଥିବା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ; ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ୮ ଜଣ ଅଣକ୍ୟାଡର ଏସ୍‌ପି/ଏସ୍‌ଏସ୍‌ପି ଓ ୫ ଜଣ ଅଣକ୍ୟାଡର ଜିଲ୍ଲାପାଳଙ୍କୁ କରାଗଲା ବଦଳି
  • ଏହାବ୍ୟତୀତ ବିଶିଷ୍ଟ ରାଜନେତାଙ୍କ ସମ୍ପର୍କୀୟମାନେ ଯେଉଁ ସ୍ଥାନରେ ଜିଲ୍ଲାପାଳ/ଏସ୍‌ପି ଭାବେ ଦାୟିତ୍ୱ ତୁଲାଉଛନ୍ତି, ସେମାନଙ୍କୁ ମଧ୍ୟ ବଦଳି କରାଯାଇଛି; ପଞ୍ଜାବର ଭଟିଣ୍ଡା ଏସ୍‌ଏସ୍‌ପି ଓ ଆସାମ ସୋନିତପୁର ଏସପିଙ୍କୁ ବଦଳି କରାଗଲା

ନୂଆଦିଲ୍ଲୀ, (ପିଆଇବି) : ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ସମାନ ସୁଯୋଗ ପାଇଁ ନିଜ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରି ନିର୍ବାଚନ ଆୟୋଗ ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ (ଏସ୍‌ପି) ଭାବେ ଦାୟିତ୍ୱରେ ଥିବା ଅଣକ୍ୟାଡର ଅଧିକାରୀଙ୍କ ପାଇଁ ବଦଳି ଆଦେଶ ଜାରି କରାଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍‌ପି ପଦବୀ ଯଥାକ୍ରମେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କ ଉପସ୍ଥିତିରେ ଆୟୋଜିତ ବୈଠକ ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ବଦଳି ହୋଇଥିବା ଅଧିକାରୀମାନେ ହେଲେ :
୧. ଗୁଜରାଟ – ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲା ଏସ୍‌ପି
୨. ପଞ୍ଜାବ – ପଠାନକୋଟ, ଫାଜିଲ୍‌କା, ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସ୍‌ଏସ୍‌ପି
୩. ଓଡ଼ିଶା – ଢେଙ୍କାନାଳର ଜିଲ୍ଲାପାଳ ଏବଂ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସ୍‌ପି
୪. ପଶ୍ଚିମବଙ୍ଗ- ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଡିଏମ୍
ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଭଟିଣ୍ଡା ଏସଏସପି ଏବଂ ଆସାମର ସୋନିତପୁର ଏସପିଙ୍କୁ ବଦଳି କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନର ପକ୍ଷପାତିତା କିମ୍ବା ଆପୋସ ବୁଝାମଣା ଆଶଙ୍କାକୁ ଦୂର କରିବା ପାଇଁ ଏହି ଦୁଇ ଜିଲ୍ଲାର ଅଧିକାରୀଙ୍କୁ ଆଗୁଆ ପଦକ୍ଷେପ ସ୍ୱରୂପ ବଦଳି କରାଯାଇଛି । ଅଣ-କ୍ୟାଡର ଅଧିକାରୀଙ୍କୁ ତତ୍କାଳ ପ୍ରଭାବ ସହିତ ଜିଲ୍ଲାପାଳ ଏବଂ ଏସ୍‌ପି/ଏସ୍‌ଏସ୍‌ପି ରୂପରେ ସେମାନଙ୍କର ବର୍ତ୍ତମାନର ଭୂମିକାରୁ ସ୍ଥାନାନ୍ତର କରିବା ଲାଗି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଗଙ୍କ ଆଦେଶ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

Leave A Reply

Your email address will not be published.

fifteen − 14 =