pakka

ନିଜସ୍ୱ ମତ : ପେନସନ ବ୍ୟବସ୍ଥା

  • ମୀନକେତନ ବାରଲେବଡ଼ିଆ

କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ଭଲ । କାରଣ ଜଣେ ବ୍ୟକ୍ତି ଚାକିରିରୁ ଅବସର ନେଲା ପରେ ବାର୍ଦ୍ଧକ୍ୟ ବେଳେ ନିଜ ଜୀବନ ସୁରୁଖୁରୁରେ ଅତିବାହିତ କରିବ। ତା’ ଅନ୍ତେ ତା’ର ବୃଦ୍ଧା ସ୍ତ୍ରୀର ସମୟ ମଧ୍ୟ ଭଲରେ କଟିବ । ଏହାକୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କୁହାଯାଏ ।

ଅପର ପାଶ୍ୱର୍ରେ ପେନସନ୍ ସରକାରଙ୍କ ପାଇଁ ବୋଝ ସଦୃଶ । ସରକାରଙ୍କ ଆୟର ବହୁଳାଂଶ ପେନସନ୍ ତଥା ଅନ୍ୟାନ୍ୟ ଅବସରକାଳୀନ ଦେୟ ପୈଠ କରିବାରେ ଖର୍ଚ୍ଚ ହୁଏ । ସରକାର ଯୁକ୍ତି ବାଢନ୍ତି ପେନସନ ବ୍ୟବସ୍ଥା ନ ରହିଲେ ପେନସନ ପାଇଁ ଖର୍ଚ୍ଚ ହେବାକୁ ଥିବା ଏହି ବଳକା ଟଙ୍କାକୁ ଦେଶର ବିକାଶ ପାଇଁ, ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଅଥବା ଦେଶର ରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଖର୍ଚ୍ଚ କରାଯାଇ ପାରିବ ।

ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିବା, ସ୍ୱଳ୍ପକାଳୀନ ନିଯୁକ୍ତି ଦେବା, ପେନସନ ବ୍ୟବସ୍ଥା ଉଚ୍ଛେଦ କରିବା ଇତ୍ୟାଦିର ମୂଳ ଲକ୍ଷ୍ୟ ହେଉଛି ଖର୍ଚ୍ଚକାଟ କରିବା । ଖର୍ଚ୍ଚକାଟ କରିବା ନାମରେ ସ୍ପର୍ଶକାତର ବିଭାଗ ସବୁରେ ସ୍ୱଳ୍ପ ଦରମାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ଆଦୌ ଯୁକ୍ତି ସଂଗତ ନୁହେଁ । ଗୋଟିଏ କ୍ଷୁଦ୍ର ଉଦାହରଣ ଦେଲେ ସହଜରେ ବୁଝିହେବ । ଧରାଯାଉ ଜଙ୍ଗଲ ସୁରକ୍ଷା ପାଇଁ ମାସକୁ ଛଅ ହଜାର ଟଙ୍କା ଦେଇ ଫରେଷ୍ଟ ଗାର୍ଡ ପୋଷ୍ଟିଂ କରିବେ ଓ ଜଙ୍ଗଲ ଜଗିବା ପାଇଁ କହିବେ; ବିଚରା ମାସକୁ ଛଅ ହଜାର ଟଙ୍କାରେ ପରିବାର ପ୍ରତିପୋଷଣ କରି ଜଙ୍ଗଲ ସୁରକ୍ଷା କେତେ କରିବ ଏହା ସମସ୍ତଙ୍କୁ ଜଣା ।

ଅନେକେ ଯୁକ୍ତି ବାଢନ୍ତି, ବେସରକାରୀ ସଂସ୍ଥା ସବୁରେ ତ ପେନସନ ନାହିଁ । ସେଠି ତ ଲୋକ ଚାକିରି କରୁଛନ୍ତି । ଅସୁବିଧା ହେଉନାହିଁ । ସରକାରୀ ଚାକିରିଆଙ୍କ ପେନସନ ପାଇଁ ଏତେ ଲୋଭ କିଆଁ ? ହଁ, ଯଦି ଜଣେ କର୍ମଚାରୀକୁ ନିଜ ପରିବାର ପ୍ରତିପୋଷଣ କରିବା ସହ ନିଜ ଭବିଷ୍ୟତ ପାଇଁ ସଂଚୟ କରିବା ମୁତାବକ ଯଥେଷ୍ଟ ଦରମା ମିଳିଲେ ସେମାନେ ନିଜ ଭବିଷ୍ୟତ ପାଇଁ ମଧ୍ୟ କିଛି ଜମା ରଖିପାରିବେ । ଯେତେବେଳ ଦରମା ନିର୍ଦ୍ଧାରଣ କରାଯାଉଛି ଏକଥାକୁ ବିଚାରକୁ ନେବା ଉଚିତ୍ ।

ବେସରକାରୀ ସଂସ୍ଥାଗୁଡ଼ିକରେ ମଧ୍ୟ ଆଜିକାଲି ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ମିଳୁନାହିଁ । ଜିନିଷପତ୍ର ଦରଦାମ ଯେଭଳି ବଢିଚାଲିଛି ଏଇ ସ୍ୱଳ୍ପ ଦରମାରେ ଦୈନଦିନ ଗୁଜୁରାଣ ମେଣ୍ଟେଇବା କଷ୍ଟ । ଏହା ଅନେକେ ଭୋଗୁଥିବେ ।

ସରକାରଙ୍କ ପାଇଁ ମଧ୍ୟ ସେଇ ନିୟମ ପ୍ରଯୁଜ୍ୟ ଅଟେ । ଆୟ ତୁଳନାରେ ସବୁବେଳେ ଖର୍ଚ୍ଚ ଅଧିକ ହେଲେ ସରକାର କେଉଁଠୁ ଟଙ୍କା ଆଣିବେ ? ବେଶି ହେଲେ ଆମ ଉପରେ ହିଁ ଅଧିକ ଟ୍ୟାକ୍ସ ପକେଇବେ ।

ଦେଶର ଅର୍ଥଶାସ୍ତ୍ରୀଗଣ ସରକାରଙ୍କୁ ଏ ସମ୍ବନ୍ଧରେ ଉଚିତ୍ ମାର୍ଗଦର୍ଶନ ଦେବାର ସମୟ ଆସିଛି । ଯେଉଁଥିରେ ସମସ୍ତେ ଉପକୃତ ହେଇପାରିବେ ।

ମୋ.ନଂ. : ୯୪୩୭୧୩୨୬୬୨

Leave A Reply

Your email address will not be published.

two × two =