om academy

ସମରସିଂ ଗାଁରେ ଉତ୍କଟ ଜଳାଭାବ : ଗୋଟିଏ ନଳକୂପ ଭରସାରେ ଗାଁବାସୀ, ପ୍ରଶାସନର ନିଘା ନାହିଁ

jsm

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କୁଇବାହାଲ ଗାଁର ସମରସିଂ ଗାଁ । ଗାଁରେ ୩ଟି ନଳକୂପ ରହିଛି । ଗାଁଟି ମୁଖ୍ୟତଃ କନ୍ଧ, ପଛୁଆ ବର୍ଗ(ଗଉଡ) ଏବଂ ହରିଜନ ସଂପ୍ରଦାୟର ପ୍ରାୟ ୩୦୦ଟି ପରିବାର ରହନ୍ତି । ଗାଁରେ ୨ଟି ୱାର୍ଡର ପାଖାପାଖି ୨୦୦୦ ଜନସଂଖ୍ୟା ପାଇଁ ୩ଟି ନଳକୂପ ରହିଛି, ହେଲେ ୨ଟି ଖରା ଦିନ ଆରମ୍ଭ ହେବା ଦିନଠାରୁ ଖରାପ ହୋଇ ପଡି ରହିଛି । ଗାଁରେ କୌଣସି ପୋଖରୀ କିମ୍ବା ବନ୍ଧ ନାହିଁ । ୨ଟି ଖରାପ ନଳକୂପ ମରାମତି ପାଇଁ ଗାଁର ଜନସାଧାରଣ ଅନେକ ବାର ସରପଂଚ ଏବଂ ଗ୍ରାମ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ତୁରେକେଲା ସୁଧାକର ପଣ୍ଡାଙ୍କୁ ଜଣାଇ ସାରିଥିଲେ ମଧ୍ୟ ଅଭିଯୋଗର ୧ ମାସ ବିତି ଯାଇଥିଲେ ସୁଦ୍ଧା ମରାମତି କରାଯାଇ ନାହିଁ । କେବଳ ସଚଳ ଥିବା ଗୋଟିଏ ନଳକୂପ ଉପରେ ଗ୍ରାମବାସୀ ପିଇବା ପାଣି ଠାରୁ ଗାଧୋଇବା ପାଣି ନେବା ପାଇଁ ରାତି ସାରା ଲାଇନ ଲଗାଇଥାନ୍ତି । ଶନିବାର ଦିନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସମରସିଂ ଗ୍ରାମର ଜନସାଧାରଣ ଏବଂ ମହିଳାମାନେ ପାଣିର ଅସୁବିଧା ବଖାଣିବାକୁ ଯାଇ ପ୍ରଶାସନ କିମ୍ବା ପଂଚାୟତ ତରଫରୁ କୌଣସି ପ୍ରକାର ସୁବିଧା କରି ନ ଥିବା ଅଭିଯୋଗ କରିଛନ୍ତି । ଗାଁ ଗାଁରେ ବାଟୋଇ ମାନଙ୍କ ପାଇଁ ଜଳଛତ୍ର କରାଯାଇଥିବା ବେଳେ ସମରସିଂ ଗାଁରେ ପ୍ରତ୍ୟେକ ବର୍ଷ ପାଣିର ଅଭାବ ପରିଲିକ୍ଷିତ ହେଉଥିଲେ ବି କୌଣସି ସ୍ଥାୟୀ ସମାଧାନ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଗତ ବର୍ଷ ଟେଙ୍କର ଯୋଗେ ପାଣି ଯୋଗାଉ ଦିଆଯାଉଥିଲା । କିନ୍ତୁ ଚଳିତ ବର୍ଷ କାହିଁକି ଅଭିଯୋଗ ହେଲାପରେ ମଧ୍ୟ ଟେଙ୍କର ଯୋଗେ ପାଣି ଦିଆଯାଉ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ଗାଁର ସ୍କୁଲ ପାଖରେ ଥିବା ନଳକୂପକୁ ବସୁଧା ଯୋଜନାରେ ପାଇପ ବିଛାଇ ପାଣି ଯୋଗାଇଦେବା ପାଇଁ ଗ୍ରାମବାସୀ ଅନେକ ବାର ଅନୁରୋଧ କରି ଆସିଥିଲେ ସୁଦ୍ଧା ତାକୁ ଉପଯୋଗରେ ଲଗାଯାଉ ନ ଥିବା କହିଛନ୍ତି । ସମରସିଂ ଗ୍ରାମରେ ପାଣିର ଉତ୍କଟ ସମସ୍ୟା ଥିବା ବିଷୟରେ କୁଇବାହାଲ ସରପଂଚଙ୍କୁ ପଚାରିବାରୁ ପଂଚାୟତ ପକ୍ଷରୁ ଟେଙ୍କର ଯୋଗେ ପାଣି ଯୋଗାଇବା ବ୍ୟବସ୍ଥାକୁ ଉଛେଦ କରି ବ୍ଲକ ପ୍ରଶାସନ ନିଜ ହାତକୁ ନେଇଛି ବୋଲି କହିଥିଲେ । ଆମ୍ଭେ ବିଡିଓ ମନୋରଂଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ଏହି ବିଷୟ ନଜରକୁ ଆସି ନ ଥିବା କହିଥିବା ବେଳେ ସରପଂଚ ଶ୍ରୀମତୀ କ୍ଷୀରମତୀ ପୁଟେଲ ବାରମ୍ବାର ଆମ୍ଭେ ଲିଖିତ ଭାବେ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପ୍ରକାର କର୍ଣ୍ଣପାତ କରୁ ନ ଥିବା କହିଛନ୍ତି । ଆସନ୍ତା ବୁଧବାର ସୁଦ୍ଧା ସମରସିଂ ଗାଁକୁ ଟେଙ୍କର ଯୋଗେ ପାଣି ଯୋଗାଇ ଦିଆ ନ ଗଲେ ସମରସିଂ ଗ୍ରାମବାସୀ ଗରିଆ, ମାଠିଆ ଧରି ତୁରେକେଲା ବ୍ଲକ ଅଫିସ ଘେରାଓ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.