ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ୨୪ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନାଟ୍ୟପଠନ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ ସୁଦେଶ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଦେଷ୍ଟା ଡାକ୍ତର କୃପାସିନ୍ଧୁ ନାୟକ, ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଓ ନାଟ୍ୟକାର ତଥା ଅଭିନେତା କୈଳାଶ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାଟ୍ୟ ପଠନ ନାଟ୍ୟକର୍ମୀଙ୍କ ପାଇଁ କିପରି ଆବଶ୍ୟକତା ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ପାଣି ତାଙ୍କ ସଭାପତିତ୍ୱ ଅଭିଭାଷଣରେ କହିଲେ ଯେ, ଅନୁଷ୍ଠାନ ତରଫରୁ ଏକ କର୍ମଶାଳା, ସ୍ମରଣିକା ଓ ଆଗାମୀ ଡିସେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ନାଟକ ମହୋତ୍ସବ କରାଯିବ । ଯୁଗ୍ମ ସଂପାଦିକା କନକଲତା ନାୟକ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାପରେ ନାଟ୍ୟକାର ରତ୍ନାକର ଚଇନିଙ୍କ ନାଟକ ଶୂନ୍ୟ ପଞ୍ଜୁରୀକୁ ସଂକଳ୍ପ ପରିବାର ତରଫରୁ କୁଞ୍ଜନଲାଲ ବୋଷଙ୍କ ନିର୍ଦ୍ଦେଶନାରେ ସର୍ବଶ୍ରୀ ବାସୁଦେବ ଷଡଙ୍ଗୀ, ମନୋଜ ନାୟକ, ଚିନ୍ମୟ ତ୍ରିପାଠୀ ଓ ରାନୁ ମହାପାତ୍ର ପ୍ରମୁଖ ନାଟ୍ୟକୁ ପଠନ କରିଥିଲେ । ପ୍ରାରମ୍ଭରେ ଅତିଥିଙ୍କୁ ଶ୍ରୀଫଳ ଓ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ବୋଷଙ୍କୁ ଶ୍ରୀଫଳ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ନାଟକକୁ ସଂକଳ୍ପ ପରିବାର ତରଫରୁ କଟକରେ ମଞ୍ଚସ୍ଥ କରାଯାଇ ବିଭିନ୍ନ ବିଭାଗରେ ପୁରସ୍କାର ଲାଭ କରିଥିଲେ । ନାଟ୍ୟପଠନ ପରେ ସମସ୍ତ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂକଳ୍ପ ପରିବାରର ମଞ୍ଜୁ ମୁଖାର୍ଜୀ, ଡଃ କିଶୋରୀ ଦାଶ, ଅକ୍ଷୟ ଧଳ, ବସନ୍ତ କୁମାର ଦାସ, ପ୍ରବୀର କୁମାର ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଏକତ୍ରର ପ୍ରଜ୍ଞାନନ୍ଦ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ନାଟ୍ୟାନୁଷ୍ଠାନର କର୍ମକର୍ତ୍ତା ଓ ନାଟ୍ୟପ୍ରେମୀମାନେ ଉପସ୍ଥିତ ଥିଲେ ।
Next Post