ରଜତ ଜୟନ୍ତୀ ପ୍ରସ୍ତୁତି ପଥେ ନଟରାଜ

  • ୱିଙ୍ଗସ୍‌ ୬ର ଭାବପ୍ରକାଶ ଶୈଳୀର ଚିତ୍ର ଉତ୍ତୋଳନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁଷ୍ଠାନର ସ୍ଥାୟୀ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ନଟରାଜ କଳା ପରିଷଦର ରଜତ ଜୟନ୍ତୀ ପ୍ରସ୍ତୁତିର ତୃତୀୟ ବୈଠକ ସ୍ଥାନୀୟ କୋଶଳ କଳା ମଣ୍ଡଳର ପୁରୁଣା ମଂଚଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସଦସ୍ୟ ତଥା କଳାକାର ବୃନ୍ଦ ଯୋଗ ଦେଇଥିଲେ । ରଜତ ଜୟନ୍ତୀର ସଫଳତା ପାଇଁ ସଭାପତି ହରିନାରାୟଣ ପୁଜାରୀ ଓ ନାଟ୍ୟ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଶାନ୍ତ ଖମାରୀ ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କୁ ସମର୍ପିତ ହେବାକୁ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମନୋନୀତ ବ୍ୟକ୍ତିମାନଙ୍କୁ କୋଶଲ ଗୌରବ ନାଟ୍ୟ ସମ୍ମାନ, ଲଳିତ ନାୟକ ସେବା ସମ୍ମାନ ଓ ଜ୍ୟୋତି ରଂଜନ ପାଣିଗ୍ରାହୀ ଯୁବ କଳାକାର ସମ୍ମାନ ପ୍ରଦାନ ବିଷୟରେ ପୁଣିଥରେ ସ୍ମରଣ କରାଯାଇଥିଲା । ୱିଙ୍ଗସ୍‌ ୬ର କ୍ରିଏଟିଭ୍‌ ଡାରେକ୍ଟର ମୁମ୍ବାଇ ଫେରନ୍ତା ସଂଗ୍ରାମ ନାୟକଙ୍କ ତତ୍ତ୍ୱାବଧାନରେ ତଥା ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶ କ୍ରମେ ନାଟକ ‘ଯଯାତି’, ଅ-ଆ-ଇ, ପୃଥ୍ୱୀରାଜ, ଆଶାପୁର ନୁ ଆମେରିକା, ଘା ଓ ନୃତ୍ୟ ନାଟିକା ନାବକେଲିର ସମସ୍ତ କଳାକାରମାନଙ୍କ ଭାବପ୍ରକାଶ ଶୈଳୀର ଫଟୋଚିତ୍ର ଓ ଭିଡିଓ ଉତ୍ତୋଳନ କରାଯାଇଥିଲା । କଳାକାରମାନଙ୍କ ଆଗ୍ରହପୂର୍ଣ୍ଣ ସହଯୋଗିତାର ସହଭାଗିତାରେ ନାଟକମାନଙ୍କର ରିଆଲସିଏଲ ସ୍ୱଛନ୍ଦରେ ଆଗେଇ ଚାଲିଥିବା ବିଷୟରେ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ଅବଗତ କରାଇଥିଲେ । ପରେ ପରେ ନଟରାଜ କଳାପରିଷଦର ମୁଖପାତ୍ର ତାଣ୍ଡବର ମୁଖ୍ୟ ସଂପାଦକ ଅଧ୍ୟାପକ ଶମ୍ଭୁ ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ସଂପାଦନା ମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତାଣ୍ଡବ ପାଇଁ ଲେଖା ପହଞ୍ଚୁଥିବା ଓ ସୂଚାରୁ ରୂପେ ସମ୍ପାଦନ କାର୍ଯ୍ୟ ଆଗେଇ ଚାଲୁଥିବା ଶ୍ରୀ ଦାଶ ପ୍ରକାଶ କରିଥିଲେ । ଏବେ ମଧ୍ୟ ବୁଦ୍ଧିଜୀବୀ, ନାଟ୍ୟକାର, କଳାକାର, ସାହିତ୍ୟିକମାନଙ୍କୁ ଏହାର ମାଧ୍ୟମରେ ତାଣ୍ଡବ ପାଇଁ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି । ଶେଷରେ ମଧୁସୁଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

20 − fourteen =