ନରସିଂହଙ୍କ କନ୍ଧପାଲି ବନ୍ଧ ପରିଦର୍ଶନ : ୬ଟି ଘାଟର ସମ୍ପୁର୍ଣ୍ଣ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ

  • ବର୍ଯ୍ୟଜଳ ଓ ବସ୍ତୁ ବନ୍ଧରେ ଯେପରି ନ ପଡିବ ତାର ହେବ ବ୍ୟବସ୍ଥା
    ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳର ଅବସ୍ଥିତ ୱାର୍ଡ ନଂ.୨ର କନ୍ଧପାଲି ପଡାରେ କନ୍ଧପାଲି ବନ୍ଧର ଅବସ୍ଥା ଦେଖିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ଯନ୍ତ୍ରୀଙ୍କ ସହ ପରିଦର୍ଶନ କରିଛନ୍ତି । କନ୍ଧପାଲିପଡାବାସୀଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ଦିନ ଦିବା ଘ.୧୧ ସମୟରେ ବନ୍ଧରେ ପହଂଚି ସେଠାକାର ମହିଳା ଓ ପୁରୁଷମାନଙ୍କ ସହ ବନ୍ଧର ସ୍ଥିତିକୁ ନେଇ ଆଲୋଚନା କରିଥିଲେ । ଆଲୋଚନା ବେଳେ ପଡାବାସୀ ବନ୍ଧର ପଶ୍ଚିମ ପଟରୁ ବର୍ଯ୍ୟଜଳ ବନ୍ଧରେ ପଡୁଥିବାରୁ ବନ୍ଧର ପାଣି ଆଉ ବ୍ୟବହାର ଯୋଗ୍ୟ ହୋଇ ରହୁନାହିଁ ବୋଲି ଅଭିଯୋଗ କରିଥିଲେ । ତା’ ସହ ସେପଟରେ ଥିବା କିଛି ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ଯୋଗୁଁ ମଧ୍ୟ ବନ୍ଧର ପାଣି ଦୂଷିତ ହେଉଛି । ପୌର ପରିଷଦକୁ ଯେତେ ଅଭିଯୋଗ କଲେ ମଧ୍ୟ ସେ ଅଭିଯୋଗକୁ ଅଣଦେଖା କରୁଛନ୍ତି ଫଳରେ ପଡାବାସୀ ବନ୍ଧର ଜଳ ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗରେ ପଡୁଥିବାର ଦେଖାଯାଉଛି । ଆଲୋଚନା ବେଳେ ବନ୍ଧକୁ କିପରି ଭାବେ ସମ୍ପୁର୍ଣ୍ଣ ଭାବେ ପୁନରୁଦ୍ଧାର କରି ବନ୍ଧ ଭିତରେ ଥିବା ବର୍ଯ୍ୟବସ୍ତୁ, ଜଳ ସଫା କରାଯାଇପାରିବ ଓ ତାର ସୌନ୍ଦର୍ଯ୍ୟକରଣ କରି ବନ୍ଧର ପାଣିକୁ ବ୍ୟବହାର ଉପଯୋଗୀ କରାଯାଇପାରିବ ସେ ଉପରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ଥିବା ପୌର ଯନ୍ତ୍ରୀ ରୋଜାଲିନ୍‌ ରାଉତଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସମ୍ପୁର୍ଣ୍ଣ ବନ୍ଧର ସଫେଇ ତଥା ସୌନ୍ଦର୍ଯ୍ୟକରଣ ପାଇଁ ସମ୍ପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ ତଥା ଅଟକଳ ପ୍ରସ୍ତୁତ କରିବାକୁ କିଛି ଅଧିକ ସମୟ ଲାଗିବ ତେଣୁ ବିଧାୟକ ଶ୍ରୀ ମିଶ୍ର ପଡାବାସୀଙ୍କ ସହ ଆଲୋଚନା କରି ବନ୍ଧର ଛଅଟି ଗାଧୁଆ ଘାଟକୁ ତତ୍‌କ୍ଷଣାତ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାହା ସହ ବନ୍ଧର ପଶ୍ଚିମ ପଟରୁ ଆସୁଥିବା କାରଖାନା ପାଣି ବନ୍ଦ କରିବା ପାଇଁ ଶୀଘ୍ର ନୋଟିସ କରିବାକୁ ଯନ୍ତ୍ରୀଙ୍କୁ କହିଥିଲେ । ପଡାବାସୀ କନ୍ଧପାଲିପଡାରୁ ସଦେଇପାଲି ରାସ୍ତାରେ ଥିବା ଶ୍ମଶାନ ଘାଟ ପାଇଁ ଏକ ଛାଉଣି ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ପରେ ଜଣାପଡିଥିଲା ଯେ ସେହି ଜାଗାଟି ପୌରାଞ୍ଚଳ ବାହାରେ ସଦେଇପାଲି ପଂଚାୟତରେ ଅବସ୍ଥିତ । ତେଣୁ ବଲାଙ୍ଗିର ସଦର ବ୍ଲକ ଯନ୍ତ୍ରୀଙ୍କୁ ପଠାଇ ଶ୍ମଶାନ ଘାଟ ନିର୍ମାଣ ପାଇଁ ରିପୋର୍ଟ ପ୍ରଦାନ କରାଇବା ବ୍ୟବସ୍ଥା କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ଏହି ଗସ୍ତରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ପୌର ଯନ୍ତ୍ରୀ ରୋଜାଲିନ ରାଉତ, ନଗର କଂଗ୍ରେସ ସଭାପତି ବୁଲୁ ଦାନି, କଂଗ୍ରେସ ଯୁବନେତା କୈଳାସ ମିଶ୍ର, ରୁପେଶ ନାଗ, ଜୟନାରାୟଣ ବହିଦାର ଏବଂ କନ୍ଧପାଲିପଡାର ଅନେକ ମହିଳା ପୁରୁଷ ଉପସ୍ଥିତ ଥିଲେ ।
Leave A Reply

Your email address will not be published.

three × 3 =