pakka

ନକଲି ଆଦିବାସୀ ମାମଲା : ଦୋରା ତେଲେଙ୍ଗା ମାନଙ୍କ ଜାଲ ଜାତି ପ୍ରମାଣ ପତ୍ର ଶୀଘ୍ର ଫଏସଲା କରିବା ପାଇଁ ଦାବୀ କଲା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ

kalikesh

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡିଶାର ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ଆନ୍ଧପ୍ରଦେଶରୁ ଆସି ବରଗଡ, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା ଓବିସି ସଂପ୍ରଦାୟର ଲୋକ ଅନୁସୂଚୀତ ଜନଜାତି ପ୍ରମାଣ ପତ୍ର ହାସଲ କରି ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ପଦବୀକୁ ଅକ୍ତିଆର କରିଛନ୍ତି । ଫଳରେ ସ୍ଥାନୀୟ ମୂଳ ଆଦିବାସୀ ଶିକ୍ଷା, ଚାକିରି, ପଦୋନ୍ନତି, ରାଜନୈତିକ ପଦପଦବୀରୁ ବଂଚିତ ହେଉଛନ୍ତି । ସାଜ୍ଞା- ଦୋରା, ଜାତି ତେଲେଙ୍ଗା, ତେଲୁଗୁ, ତେଲୁଗୁ କାଚରା । ଏହି ଜାତି କେନ୍ଦ୍ର ସରକାରଙ୍କ ଓବିସି ତାଲିକାର କ୍ର. ନଂ ୧୬୩ରେ ସ୍ଥାନ ପାଇଥିବା ବେଳେ ଓଡିଶା ସରକାରଙ୍କ ଓବିସି ତଥା ଏସ.ଇ.ବି.ସି.ତାଲିକାର କ୍ର. ଓଂ ୧୬୯ରେ ତେଲେଙ୍ଗା, ତେଲେଙ୍ଗା ତେଲୁଗୁ, ତେଲୁଗୁ କାଚରା ଜାତି ଚିହ୍ନଟ ହୋଇଛନ୍ତି । ଅଧିକାଂଶ ତେଲେଙ୍ଗା ଜାତିର ଲୋକ ଓବିସି / ଏସ.ଇ.ବି.ସି. ଜାତି ପ୍ରମାଣ ପତ୍ର ନେଉଥିବା ବେଳେ କିଛି ଦୋରା ସାଜ୍ଞାଧାରୀ ତେଲେଙ୍ଗା ଓବିସି ସମ୍ପ୍ରଦାୟର ଲୋକ କୋଣ୍ଡା ଦୋରା ଏସଟି ସାର୍ଟିଫିକେଟ ହାସଲ କରି ଆଦିବାସୀ କୋଟାରେ ଚାକିରି କରୁଛନ୍ତି । କୁମାରୀ ମାଧୁରୀ ପାଟିଲ ବନାମ ଅତିରିକ୍ତ କମିଶନର ଜନଜାତି କଲ୍ୟାଣ ବିଭାଗ ମହାରାଷ୍ଟ୍ର ସିଭିଲ ଏପିଲ ସଂ ୫୮୫୪/୧୯୯୪ ମାମଲାରେ ଜାତିଗତ ପ୍ରମାଣ ପତ୍ର ଅଭିଯୋଗର ତଦନ୍ତ ଫଏସଲା, କାର୍ଯ୍ୟକାରିତା ପାଇଁ ସୁପ୍ରିମ କୋର୍ଟ ୨.୯.୧୯୯୪ରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ଉକ୍ତ ଗାଇଡଲାଇନ ଅନୁସାରେ ଓଡିଶା ସରକାର ତା.୧.୧୦.୨୦୧୦ରେ ରାଜ୍ୟରେ ୩ଟି ରାଜ୍ୟ ସ୍ତରୀୟ ଯାଂଚ କମିଟି କରି ନକଲି ଆଦିବାସୀ ମାନଙ୍କ ଜାଲ ଜାତି ପ୍ରମାଣ ପତ୍ର ଗୁଡିକୁ ରଦ୍ଦ କରି ଅଭିଯୁକ୍ତ ନକଲି ଆଦିବାସୀଙ୍କୁ ଚାକିରିରୁ ବହିଷ୍କୃତ କରିବା, ଗିରଫ କରିବା, ଓପିଡିଆର କେସ୍‌ କରି ସମ୍ପତି ବ୍ୟାଜାପ୍ତ କରିବା, ଆଦିବାସୀ ଜମି ଫେରସ୍ତ କରିବା ପାଇଁ ଆଦେଶ ଦେଇଥାନ୍ତି । କିନ୍ତୁ ରାଜ୍ୟସ୍ତରୀୟ ଯାଂଚ କମିଟିର ଅଧ୍ୟକ୍ଷ ତଥା ଉତରାଂଚଳ ରାଜସ୍ୱ କମିଶନର ବର୍ଷ ବର୍ଷ ଧରି ମାମଲା ଗୁଡିକୁ ପକାଇ ରଖିଛନ୍ତି । ୨୦୧୦ ମସିହା ପୂର୍ବରୁ ଓଡିଶା ଏସ.ଟି.ଏସ.ସି. ପାଇଁ ଜାତି ପ୍ରମାଣ ପତ୍ର ଆଇନ ୧୯୮୦ ଅନୁସାରେ ତହସିଲଦାର ମାନେ ଜାଲ ଜାତି ପ୍ରମାଣ ପତ୍ର ଗୁଡିକୁ ରଦ୍ଦ କରୁଥିଲେ । ସେହି କ୍ରମରେ ତୁଷୁରା ତହସିଲଦାର ଅଶୋକଚନ୍ଦ୍ର ଦୋରାଙ୍କୁ ଦେଇଥିବା ଜାଲ ଜାତି ପ୍ରମାଣ ପତ୍ର ତେଲେଙ୍ଗା ଓବିସିରୁ କୋଣ୍ଡା ଦୋରା ଏସଟିକୁ ୨୨.୧୨.୨୦୧୭ରେ ରଦ୍ଦ କରିଥିଲେ । ନକଲି ଆଦିବାସୀ ମାମଲାରେ ସମ୍ବଲପୁର ଥାନାର ପୂର୍ବତନ ଥାନା ଅଧିକାରୀ ତଥା ବର୍ତମାନର ଡିସିପି କ୍ରାଇମ ବ୍ରାଂଚ କଟକ ରମେଶ ଚନ୍ଦ୍ର ଦୋରାଙ୍କ ନାମରେ ମଧ୍ୟ ହାଇକୋର୍ଟରେ ମାମଲା ଦାୟାର ହୋଇଛି । ଅଭିଯୋଗ ଅନୁସାରେ ରମେଶ ଚନ୍ଦ୍ର ଦୋରା ମୂଳ ଜାତି ତେଲେଙ୍ଗା ଓବିସି ସମ୍ପ୍ରଦାୟ ହୋଇଥିବା ବେଳେ ନିଜକୁ କୋଣ୍ଡା ଦୋରା ଜନଜାତି ଦର୍ଶାଇ ପୋଲିସ ବିଭାଗରେ ଆଦିବାସୀ କୋଟାରେ ଚାକିରି କରୁଥିବା ନେଇ ଗତବର୍ଷ ଓଡିଶା ହାଇକୋର୍ଟରେ ମାମଲା ଦାୟାର ହୋଇଥିଲା । ବରଗଡ ରଙ୍ଗପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଏଡମିସନ ରେଜିଷ୍ଟରରେ ଜାତି ତେଲେଙ୍ଗା ଲିପିବଦ୍ଧ ହୋଇଛି । ଉକ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟସ୍ତରୀୟ ଯାଂଚ କମିଟିକୁ ତୁରନ୍ତ ଫଏସଲା କରିବାକୁ ଆଦେଶ ଦେଇଛନ୍ତି । ରମେଶ ଚନ୍ଦ୍ର ଦୋରା ଭଳିଆ ପଶ୍ଚିମ ଓଡିଶାରେ ବହୁତ ଦୋରା ସାଜ୍ଞା ଧାରୀ ତେଲେଙ୍ଗା ଓବିସି ସଂପ୍ରଦାୟର ଲୋକ କୋଣ୍ଡା ଦୋରା ଆଦିବାସୀ ସାର୍ଟିଫିକେଟ ଦ୍ୱାରା ଚାକିରି କରୁଥିବାରୁ ଆର୍‌.ଡି.ସି. ସମ୍ବଲପୁର ତଥା ଅଧ୍ୟକ୍ଷ ରାଜ୍ୟସ୍ତରୀୟ ଯାଂଚ କମିଟି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଖାମ ସିଂ ମାଝି, ନିରଂଜନ ବିଶି, ଯୋଗେନ୍ଦ୍ର ଭୋଇ, ଉସମନ ମୁଣ୍ଡା, ଶ୍ୟାମ ସୁନ୍ଦର ଭୋଇ ବନଲତା ମାଝି, ବାଲକୃଷ୍ଣ ଶବର ପଦ୍ମକିଶୋର ପୁଝାରି, କିଶୋର ଚନ୍ଦ୍ର ଭୋଇ, ପ୍ରକାଶ ମାଝି, ଶୁକଦେବ ମାଝି, ରାମଚନ୍ଦ୍ର ମାଝି, ସତ୍ୟନାରାୟଣ ଭୋଇ ପ୍ରମୁଖ ପ୍ରେସ ବିବୃତିରେ ଜଣାଇଛନ୍ତି ।

pp
Leave A Reply

Your email address will not be published.

six + seven =