pakka

ଡ. ମାନଭଞ୍ଜନ ପ୍ରଧାନ ଆଉ ନାହାନ୍ତି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଲେଜ ରୋଡ ସ୍ଥିତ ବିଜୟନଗର ନିବାସୀ ପ୍ରଫେସର ଡ. ମାନଭଞ୍ଜନ ପ୍ରଧାନଙ୍କ ଆଜି ସକାଳ ୭ ଘ.ରେ ନିଜ ବାସଭବନରେ ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସତୀଭଟାରେ ଜନ୍ମିତ ସ୍ୱର୍ଗତ ପ୍ରଧାନ ଏକାଧାରରେ ଜଣେ ଶିକ୍ଷାବିତ, ସାହିତ୍ୟିକ, ସୁବକ୍ତା ଓ ସଙ୍ଗଠକ ଭାବେ ବେଶ ଜଣାଶୁଣା ଥିଲେ । ନୂଆପଡା ମହାବିଦ୍ୟାଳୟର ପ୍ରତିଷ୍ଠା ସମୟରୁ ତାଙ୍କର ଅଧ୍ୟାପନା ଜୀବନ ଆରମ୍ଭ ହୋଇଥିଲା । ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓ ରାମପୁର ମହାବିଦ୍ୟାଳୟରେ ଜଣେ ସୁଦକ୍ଷ ଓଡିଆ ଭାଷା ସାହିତ୍ୟର ଶିକ୍ଷକ ଭାବେ ତାଙ୍କର ଚାକିରି ଜୀବନ କଟିଥିଲା । ଚାକିରିରୁ ଅବସର ନେବାପରେ ସେ ଜମଲା ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟର ଅବୈତନିକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ । ଗୁରୁ ପ୍ରକାଶନୀ ସଂସ୍ଥା ଗଠନ କରି ସାହିତ୍ୟର ବିକାଶ ଓ ବିଭିନ୍ନ ଲେଖକଙ୍କର ପୁସ୍ତକ ପ୍ରକାଶନ କରି ସେ ଏକ ରେକର୍ଡ ସୃଷ୍ଟି କରିଥିଲେ । ବୋଡାସମ୍ବର ପୁସ୍ତକ ମେଳା ଓ ବୋଡାସମ୍ବର ନାଟକ ମହୋତ୍ସବର ଆୟୋଜନ ପାଇଁ ସେ ନେତୃତ୍ୱ ନେଇ ଆସୁଥିଲେ । ସେ ସମ୍ବାଦ ସାହିତ୍ୟ ଘରର ସଭାପତି, ପରିବେଶ ତଥା ଔଷଧୀୟ ବୃକ୍ଷ ରୋପଣ ସଂସ୍ଥାର ସକ୍ରିୟ କର୍ମୀ, ରାଜ ବୋଡାସମ୍ବର ହାଇସ୍କୁଲର ପ୍ଲାଟିନମ୍‌ ଜୁବୁଲିର ସଂଯୋଜକ ଏପରି ଅନେକ ସାହିତ୍ୟ, ସାମାଜିକ ତଥା ସାଂସ୍କୃତିକ ସଂସ୍ଥା ଗୁଡିକ ସହିତ ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ଥିଲେ । ଅବଶ୍ୟ ଏହି ୨ ବର୍ଷ ତଳେ ଅସୁସ୍ଥତା ହେତୁ ସେ ଶଯ୍ୟାଶାୟୀ ଥିଲେ । ତାଙ୍କର ମୁତ୍ୟୁ ଖବର ପ୍ରଚାରିତ ହେବା ପରେ ସହରରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପ୍ରଧାନ ଜଣେ ମେଳାପୀ, କର୍ତ୍ତବ୍ୟ ନିଷ୍ଠ ଓ ସ୍ୱାସ୍ଥ୍ୟ ସଚେତକ ଭାବେ ସର୍ବତ୍ର ପରିଚିତ ଥିଲେ । ସେ ତାଙ୍କ ପଛରେ ବିଧବା ସ୍ତ୍ରୀ, ତିନି ପୁଅ ଆର୍ଯ୍ୟ, ସୂର୍ଯ୍ୟ ଓ ଐଶ୍ଚର୍ଯ୍ୟ, ତିନି ପୁତ୍ର ବଧୂ, ଝିଅ ଜ୍ୱାଇଁ, ନାତି ନାତୁଣୀ ଓ ଆତ୍ମୀୟସ୍ୱଜନଙ୍କୁ ଛାଡି ଚାଲି ଯାଇଛନ୍ତି । ସନ୍ଧ୍ୟାରେ ସତୀଭଟା ସ୍ଥିତ ନିଜ ଜନ୍ମଭୂମିରେ ଏକ ଶୋକାକୁଳ ପରିବେଶ ଭିତରେ ତାଙ୍କର ଶବଦାହ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଆର୍ଯ୍ୟ ପ୍ରଧାନ ମୁଖାଗ୍ନି ଦେଇଥିଲେ । ଆଜି ପଦ୍ମପୁର ବାସଭବନରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ସହରର ବିଭିନ୍ନ ବର୍ଗର ଲୋକେ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ଡ. ପ୍ରମୋଦ କୁମାର ପାଢୀ, ଅଶୋକ କୁମାର ବହିଦାର, ଡ. ଜୟଦେବ ତ୍ରିପାଠୀ, ନିରୋଜ ଦୋରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

14 − eight =