ନୂଆ ଏନ୍‌ଏସି ଗଠନ ତାଲିକାରେ ଲୋଇସିଂହା :୧୦ ବର୍ଷର ପ୍ରତୀକ୍ଷା, ଆଶା ନା ଆଶଙ୍କା ?

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଦୀର୍ଘ ୧୦ ବର୍ଷ ହେଲା ଲୋଇସିଂହା ଏନ୍‌ଏସି ହେବ, ଅନେକ ଥର ଏମିତି ତାଲିକା ପ୍ରକାଶ ପାଇଛି । ଏମିତିକି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶ୍ରେୟ ନେବା ପାଇଁ ରାସ୍ତାଘାଟରେ ଫ୍ଲେକ୍ସ ମଧ୍ୟ ଲାଗିଛି । କିନ୍ତୁ ଆଶାରେ ପଡି ରହିଥିବା ଲୋଇସିଂହାବାସୀଙ୍କ ୧୦ ବର୍ଷର ସ୍ୱପ୍ନ ପୁଣି ଆଜି ସତ ହେବ ନା ମିଛ ହେବ, ଆଶା ଓ ଆଶଙ୍କାରେ ରହିଛି । ରାଜ୍ୟ ସରକାରଙ୍କ ୨୭ ନୂଆ ଏନ୍‌ଏସି ଗଠନ ପ୍ରସ୍ତାବ ନେଇ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ରହିଛି । ଫଳରେ ଲୋଇସିଂହାବାସୀଙ୍କ ପକ୍ଷରୁ ବିଭିନ୍ନ ଆଲୋଚନା ସମାଲୋଚନା ଚାଲିଥିବା ବେଳେ ପୁଣି ଥରେ ଏନ୍‌ଏସି ଗଠନ ନେଇ ଆଶା ସଂଚାର ହୋଇଛି । ଗତ ୨୦୧୧ ଜନଗଣନା ଅନୁସାରେ ଲୋଇସିଂହା ଟାଉନର ଲୋକସଂଖ୍ୟା ୧୦ ହଜାର ଥିଲା । ସେହି ସମୟରୁ ଲୋଇସିଂହା ଏକ ଏନ୍‌ଏସି ଗଠନ ନେଇ ପ୍ରସ୍ତାବ ରହିଥିଲା । ଲୋଇସିଂହା ଏକ ପୁରୁଣା ବିଧାନସଭା ମଣ୍ଡଳୀ ହୋଇଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବଲାଙ୍ଗିର ସାଂସଦ କ୍ଷେତ୍ର ଓ ଓଡିଶା ମାନଚିତ୍ରର ଏକ ଚର୍ଚ୍ଚିତ ଆସନ ହୋଇ ରହିଛି । ଏଠାରୁ ବିଭିନ୍ନ ସମୟରେ ବହୁ ଟାଣୁଆ ନେତା ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହିଛନ୍ତି । ଏଠାରେ ବ୍ଲକ, ତହସିଲ, ସିଭିଲ କୋର୍ଟ, ଟ୍ରେଜେରି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡିଗ୍ରୀ ମହାବିଦ୍ୟାଳୟ, ବନ ବିଭାଗ, ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ବହୁ ସରକାରୀ/ବେସରକାରୀ ଅନୁଷ୍ଠାନ ରହିଛି । ଲୋଇସିଂହା ମୁଖ୍ୟ ଟାଉନ ଭିତରେ ବରଗଡ-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ବସଷ୍ଟାଣ୍ଡରୁ ୨୦୦ ମିଟର ମଧ୍ୟରେ ରେଳ ଷ୍ଟେସନ ରହିଛି । ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ବିଭିନ୍ନ ସରକାରୀ/ବେସରକାରୀ କାମ ପାଇଁ ଲୋଇସିଂହା ଉପରେ ଅଂଚଳବାସୀ ନିର୍ଭର କରନ୍ତି । ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ଲୋଇସିଂହା ଏକ ପ୍ରମୁଖ ସ୍ଥାନ ଅଟେ । ଏଠାରେ ନାରାୟଣ ସାଗର ଭଳି ଏକ ପୁରୁଣା ବଡ ଜଳାଶୟ ରହିଥିବା ବେଳେ ଆବଶ୍ୟକ ଉନ୍ନତି ହେଲେ ଏକ ପର୍ଯ୍ୟଟନସ୍ଥଳି ମଧ୍ୟ ହୋଇପାରନ୍ତା । ଯୋଜନା ଅଭାବରୁ ଆଦ୍ୟାବଧି ରାଜପଥରେ ଆବଶ୍ୟକ ଷ୍ଟ୍ରିଟ ଲାଇଟର ଅଭାବ ରହିଥିବା ବେଳେ ଶୌଚାଳୟ ମଧ୍ୟ ନାହିଁ । ଜାତୀୟ ରାଜପଥ ପାଶ୍ୱର୍ରେ କୁଢ କୁଢ ମଇଳା ରହିଛି । ଆବଶ୍ୟକ ଲୋଇସିଂହାବାସୀଙ୍କ ସ୍ୱପ୍ନ ସାକାର ପାଇଁ ନୂଆ ଏନ୍‌ଏସି ଗଠନର ବହୁ ଆବଶ୍ୟକତା ରହିଛି । ଆବଶ୍ୟକ କଲ୍ୟାଣ ମଣ୍ଡପ ବି ନାହିଁ । ତେଣୁ ଲୋଇସିଂହାବାସୀଙ୍କ ବହୁ ଆବଶ୍ୟକତାକୁ ପୂରଣ ଦିଗରେ ନୂଆ ଏନ୍‌ଏସି ଗଠନ ଅତ୍ୟନ୍ତ ଜରୁରୀ ବୋଲି ସଦ୍ୟ ତାଲିକାଭୁକ୍ତ ନୂଆ ଗଠନ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.