
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ଅକାଳ ମୃତ୍ୟୁ ଘଟିଛି । ମୃତକ ହେଲେ ଶାନ୍ତନୁ ଓରଫ ରବିନ ପୁଝାରୀ (୨୮) । ପ୍ରାପ୍ତ ସୂଚନା ଅନୁସାରେ, ଶାନ୍ତନୁ ଜୟପାଟଣାର ଷ୍ଟେଟବ୍ୟାଙ୍କ ରାସ୍ତା ପାଖ ଏକ ଘର ପାଖରେ ଥିବା ସମୟରେ ବେଳେ ହଠାତ୍ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଏହାଫଳରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଖବର ପାଇ ଜୟପାଟଣା ପୋଲିସ ଦ୍ୱାରା ଶବକୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି । ଜନଗହଳି ପୂର୍ଣ୍ଣ ଜୟପାଟଣା ମୁଖ୍ୟ ରାସ୍ତାକଡ଼ରେ ଅତି ନିମ୍ନ ଉଚ୍ଚତାରେ ଘରକୁ ଲାଗି କଭର ନ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଯୋଗୁଁ ଏଭଳି ଅଘଟଣା ହେଉଥିଲେ ହେଁ ବିଦ୍ୟୁତ ବିଭାଗର ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ । ଏହି ଘଟଣା ପରେ ଚିର୍କା ଗ୍ରାମ ସମେତ ସମଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।