jsm

ଶ୍ୱଶୁର ଘରୁ ଘରଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

csstore
  • ପତ୍ନୀଙ୍କ ପରକୀୟା ପ୍ରୀତିକୁ ବିରୋଧ, ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ପରିବାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଲିଶିରା ପଞ୍ଚାୟତ ଖରାଲି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖରାଲି ଗ୍ରାମକୁ ଘରଜ୍ୱାଇଁ ଆସି ରହୁଥିବା ହିରନ୍ ମାଝୀ(୪୫) ନାମକ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ନିଜ ଶ୍ୱଶୁର ଘରୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପତ୍ନୀ ଉପାସୀ ମାଝୀଙ୍କ ପରକୀୟା ପ୍ରୀତିକୁ ସମ୍ପୂର୍ଣ୍ଣ ବିରୋଧ କରିବାରୁ ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ହିରନଙ୍କ ପରିବାର ଲୋକେ ଥାନାରେ ଲିଖିତ ହତ୍ୟା ଅଭିଯୋଗ କରିଛନ୍ତି । ବେଲପଡ଼ା ଥାନା ଡୁଙ୍ଗୁରୀଗୁଡ଼ା ଗ୍ରାମର ସ୍ୱର୍ଗତ ଭୁବନ ମାଝୀଙ୍କ ପୁଅ ହିରନ ମାଝୀ ଖରାଲି ଗ୍ରାମର ଉପାସୀ ମାଝୀଙ୍କୁ ୧୭ବର୍ଷ ତଳେ ବିବାହ କରି ଖରାଲି ଗ୍ରାମରେ ହିଁ ପରିବାର ସହ ରହୁଥିଲେ । ଉଭୟଙ୍କର ୪ଜଣ ପୁଅଝିଅ ଅଛନ୍ତି । ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପାରିବାରିକ କଳହ ଲାଗି ରହୁଥିଲା । ବହୁଥର ଉଭୟ ପକ୍ଷର ଜାତିସମାଜ ବସି ଉଭୟଙ୍କର ସମାଧାନ କରାଯାଉଥିଲା । ଗତ ୫ ତାରିଖ ରବିବାର ଦିନ ମଧ୍ୟ ଡୁଙ୍ଗୁରୀଗୁଡ଼ା ଓ ଖରାଲି ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ବୈଠକ ବସି ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ଉଭୟେ ମିଳିମିଶି ଚଳିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସେହିଦିନଠାରୁ ମୃତ ହିରନଙ୍କ ହାବଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ହିରନ ଶ୍ୱଶୁରଙ୍କ ନୂତନ ଭାବେ ନିର୍ମିତ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ମୁରିବାହାଲ ଥାନା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶୁକ୍ରବାର ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମୃତ ହିରନଙ୍କ ବାପଘର ଲୋକଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ଶୁକ୍ରବାର ମୃତ୍ୟୁ ଖବର ପାଇ ପହଞ୍ଚିଥିଲେ । ମୃତ ହିରନଙ୍କ ଶବକୁ ଆମ ଅନୁପସ୍ଥିତିରେ ଟିଟିଲାଗଡ ମେଡିକାଲ୍ ନେବା ସହ ଶବ ବ୍ୟବଚ୍ଛେଦ ମଧ୍ୟ କରି ସାରିଛନ୍ତି । ପତ୍ନୀ ଉପାସୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସେ କେତେଜଣଙ୍କ ସହ ମିଶି ସ୍ୱାମୀ ହିରନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଓ ଆତ୍ମହତ୍ୟାର ରୂପ ଦେଉଛି ବୋଲି ଛିନ୍ଦରା ଗ୍ରାମରେ ରହୁଥିବା ହିରନଙ୍କ ବଡ଼ଭାଇ ଅର୍ଜୁନ ମାଝୀ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନ ୦୫/୨୬ରୁଜ୍ଜୁ ହୋଇ ଏସ୍‌ଆଇ ପଙ୍କଜିନୀ ବାଗ ଘଟଣାର ତଦନ୍ତ କରୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.