jayashree

ଭୟଙ୍କର ଦୁର୍ଘଟଣା : ଗାଡିରେ ଚାପି ହୋଇ ଡ୍ରାଇଭର ମୃତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର-ବରପାଲି ମୁଖ୍ୟରାସ୍ତା ଏନ୍‌ଏଚ୍‌ ୧୨୬(ଏ)ର ବିନିକା ଥାନା ଜାମଛାପର ନିକଟରେ ଗତକାଲି ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଟ୍ରକ ଓ ଟ୍ରାକ୍ଟର ବୋଝେଇ ହୋଇ ଯାଉଥିବା ମିନି ଟ୍ରକ ମଧ୍ୟରେ ମୁହାଁମହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ହିଁ ମିନି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଗାଡ଼ିରେ ଚାପି ହୋଇ ତାଙ୍କ ଶରୀର ରହିଥିଲା । ସୂଚନାରୁ ଯାହା ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଟିଏସ୍‌୨୯ଟିବି -୨୩୯୯ ସୋନପୁରରୁ ବରଗଡ ପଟକୁ ଯାଉଥିବା ବେଳେ ଜାମଛାପର ପାଖରେ ବରଗଡରୁ ସୋନପୁର ଆଡକୁ ଯାଉଥିବା ଟ୍ରାକ୍ଟର ବୋଝେଇ ମିନି ଟ୍ରକ୍ ନମ୍ବର ଏପି୩୯ଡବ୍‌ଲୁଜେ-୦୨୯୬ ସିଧାସଳଖ ଯାଇ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦମକଳ ବାହିନୀକୁ ଖବର ଦେଇଥିଲେ । ବିନିକା ଦମକଳ ବାହିନୀ ଗ୍ୟାସ କଟରରେ ଗାଡିକୁ କାଟି ମିନିଟ୍ରକ ଡ୍ରାଇଭର୍‌କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ନେଇଥିଲା ବେଳେ ଡାକ୍ତରଖାନାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ । ମିନିଟ୍ରକ୍ ଅନ୍ୟ ରାଜ୍ୟର ହୋଇଥିବାରୁ ଡ୍ରାଇଭର୍‌ଙ୍କ ପରିଚୟ ମିଳି ପାରି ନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି । ଉଭୟ ଗାଡ଼ି ବାହାର ରାଜ୍ୟର ହୋଇଥିବା ବେଳେ ଗାଡ଼ି ଦ୍ୱୟକୁ ଜବତ କରିବା ସହ ମୃତଦେହକୁ ଜବତ କରିଛି ପୁଲିସ । ଏ ପର୍ଯ୍ୟନ୍ତ ବିନିକା ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବାରୁ ମାମଲା ରୁଜୁ ହୋଇ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.