ଅସହାୟ ନିରୀହ ବୃଦ୍ଧାଙ୍କୁ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ନିଃସହାୟ, ଅବହେଳିତ, ଭିନ୍ନକ୍ଷମ ବିଧବା ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ମାତ୍ର ରାଜ୍ୟର ପ୍ରକୃତ ହିତାଧିକାରୀମାନଙ୍କୁ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ସାହାଯ୍ୟ କରାଯାଇ ପାରୁନାହିଁ । ପଦ୍ମପୁର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ବଗେଇଯୁରୀ ଗାଁର ଗୁରୁବତୀ ସୁନା(୭୦) ଆଜିକୁ ୩୦ ବର୍ଷ ହେଲାଣି ବାପା ଘରେ ଆଶ୍ରୟ ନେଇଛନ୍ତି । ସେ ଜଣେ ପରିତ୍ୟକ୍ତା ବୃଦ୍ଧା ଅଟନ୍ତି । ତାଙ୍କ ବାମ ଆଖି ସମ୍ପୂର୍ଣ୍ଣ ଅଚଳ ହୋଇ ଯାଇଛି । ତାଙ୍କ ପାଖରେ ସରକାରୀ ଯୋଜନାର କୌଣସି ସାହାଯ୍ୟ ପହଞ୍ଚି ପାରୁନାହିଁ । ନା ଭତ୍ତା, ରାସନକାର୍ଡ ନା ବାସଗୃହ ତା‌ଙ୍କ ପାଖରେ ପହଞ୍ଚି ନାହିଁ । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । ଭୋକ ଉପବାସରେ ଦିନ କଟୁଛି । ଚାତକ ପରି ସରକାରୀ ଯୋଜନାକୁ ଚାହିଁ ବସିଛନ୍ତି । ସେଥିରେ ତା‌ଙ୍କ ଭୂଲ ଅଛି କି ପ୍ରଶାସନର ଭୁଲ ଅଛି, ତାହା ପ୍ରଭୁ ଜାଣନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.