ମାତିଛନ୍ତି ଅନଲାଇନ୍ ଲୁଟେରା, ଜିଓ ଟାୱାର ବସାଇବା ନାଁରେ ଲୁଟୁଛନ୍ତି : ମୋଟା ଅଙ୍କର ଲୋଭରେ ପଡ଼ୁଛନ୍ତି ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ସୋସିଆଲ ମିଡିଆରେ ଓ ଫୋନକଲ୍‌ରେ ଅନେକ ଲୋଭନୀୟ ଲଟେରୀ, ସ୍କିମ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଅଧିକ ଟଙ୍କା ପାଇବା ଆଶାରେ ଜମି ବାଡି, ସୁନାଗହଣା ମଧ୍ୟ ବିକ୍ରି କରି ହରଡଘଣାରେ ପଡୁଛନ୍ତି। ଏଇ କିଛି ଦିନ ମଧ୍ୟରେ ଦେଓଗାଁ ବ୍ଲକ୍ ଅଞ୍ଚଳର ବିଭିନ୍ନ ଲୋକଙ୍କ ପାଖକୁ ଅନଲାଇନ୍ ଲୁଟେରାମାନେ ବିଭିନ୍ନ ଅଫର୍ ସହ ଲୋଟରୀ ଦେଖାଇ ଫ୍ରଡ ଫୋନ୍ କରୁଛନ୍ତି । ରିଲାଇନ୍ସ ଜିଓ ଟାୱାର ବସାଇବାକୁ ନେଇ ଫୋନ କରି ଜମିରେ ୪ ଡିସମିଲ ଜାଗାରେ ଜିଓ ଟାୱାର ନିର୍ମାଣ କଲେ ୧୫ ବର୍ଷ ପାଇଁ ଜମି ଲିଜ ବାବଦକୁ ୧୫ଲକ୍ଷ ଟଙ୍କା, ପରିବାରର ୨ ଜଣଙ୍କୁ ଚାକିରୀ ବାବଦକୁ ମାସକୁ ୧୦ ହଜାର ଟଙ୍କା ଓ ଜମିର ଲିଜ ବାବଦକୁ ମାସକୁ ୧୦ ହଜାର ଦିଆଯିବ କହି ଜମିର ମାଲଗୁଜାରୀ ରସିଦ ମାଗୁଛନ୍ତି । ଏଭଳି କିଛି ଲୋଭନୀୟ ଲୋଟରୀ ବା ଅଫର ଶୁଣି ଲୋକେ ଖୁସି ହୋଇ ଯାଉଛନ୍ତି । ଏଣିକି ଟାୱାର ଦେବୁ, ରେଜିଷ୍ଟ୍ରେସନ୍ ବାବଦ ଓ ମୁମ୍ବାଇରୁ ସାମଗ୍ରୀ ଆସୁଥିବା ଭଳି ଭଳି ବିଭିନ୍ନ ବାହାନା ଦେଖାଇ ୫ହଜାରରୁ ଆରମ୍ଭ କରି ୨୫/୩୦ ହଜାର ଟଙ୍କା ପର୍ୟ୍ୟନ୍ତ ମାଗୁଛନ୍ତି । ଲୋକେ ମଧ୍ୟ ୧୫ଲକ୍ଷ ପାଇବା ଆଶାରେ ଜମି, ବାଡି, ସୁନାରୂପା ବିକ୍ରି କରି ଦେଇ ପଇସା ପଠାଉଛନ୍ତି । କିନ୍ତୁ ଶେଷରେ ବିଭିନ୍ନ କାରଣରୁ ଆପଣଙ୍କ ଜାଗାରେ ଟାୱାର ଲଗାଇବା ପାଇଁ ଆପଣଙ୍କ ଜାଗା ଉପଯୁକ୍ତ ନୁହେଁ ଭଳି ବହୁ ବାହାନା ଦେଖାଇ ସେହି ଫୋନ୍‌କୁ ସ୍ଵିଚ ଅଫ୍ କରି ଦେଉଛନ୍ତି । ହେଲେ ଏଭଳି ଭାବେ ମୋଟା ଅଙ୍କର ଟଙ୍କା ହରାଇବା ଘଟଣା ବାବଦରେ କାହାରିକୁ କହିଲେ ଲୋକେ ମତେ ବୋକା ଭାବିବେ ବୋଲି ବାହାରେ କାହାକୁ ଜଣାଇ ପାରୁନାହାନ୍ତି । ସେହିଭଳି ଭାବେ ବହୁ ଲୋକ ଅନଲାଇନ୍ ପଇସା ନେଣ, ଦେଣ ପାଇଁ ବ୍ୟବହାର କରୁଥିବା ଆପ ଫୋନ୍ ପେରେ ମଧ୍ୟ ମାତିଛନ୍ତି ଲୁଟେରା ଦଳ । ଯେକୌଣସି ନଂବରକୁ ଫୋନ୍ କରି କହୁଛନ୍ତି ଯେ, ଆପଣଙ୍କ ଫୋନ୍ ପେ’ ଆକାଉଣ୍ଟରେ ଏକ ଅଫର ଅଛି । ଫୋନ୍ ପେ’ ଆସିଥିବା ନୋଟିଫିକେସନକୁ ଯାଇ ସେଠାରେ କ୍ଲିକ୍ କରି ଆପଣଙ୍କ ୟୁପିଆଇ ପାସୱାଡ ଦେଲେ ଅଫର ଟଙ୍କାଟି ଆପଣଙ୍କ ଆକାଉଣ୍ଟରେ ପଡ଼ିଯିବ ବୋଲି କହିଛନ୍ତି । କିନ୍ତୁ ଅସଲ କଥା ଯେ, ଯଦି କେହି ବ୍ୟକ୍ତି ସେହି ପାସୱଡ୍ ଦେଲେ ନିଜ ଆକାଉଣ୍ଟରୁ ଟଙ୍କା ସେହି ଲୁଟେରାର ଆକାଉଣ୍ଟକୁ ଟ୍ରଂସଫର୍ ହୋଇଯିବ । ଏହି ଅନଲାଇନ୍ ଠକେଇ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ନିରୀହ ଜନସାଧାରଣ ଏହାର ଶିକାର ହେଉଛନ୍ତି । ଏ ସମ୍ପର୍କରେ ସରକାରୀ ପକ୍ଷରୁ ଓ ପୋଲିସ ବିଭାଗ ପକ୍ଷରୁ ସଚେତନତାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.