
ନୟାଗଡ଼, (କେପିଏନ୍ଏସ୍) : ସମଗ୍ର ଓଡିଶା ରାଜ୍ୟ ପାଇଁ ପୁର୍ନବାର ଗୌରବ ଆଣିଛନ୍ତି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅଧୀନ କୁଆହରା ଗ୍ରାମର ସୁନାମଧନ୍ୟ ବୈଜ୍ଞାନିକ ପ୍ରଦ୍ୟୁମ୍ନ କୁମାର ସାହୁ । ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ (କାସ) ପକ୍ଷରୁ ଆସନ୍ତା ୨୦୨୭ ବର୍ଷ ପାଇଁ ପ୍ରଦାନ କରାଯାଉଥିବା ବିଶ୍ୱ ପ୍ରସିଦ୍ଧ ‘ପ୍ରେସିଡେଣ୍ଟସ୍ ଇଣ୍ଟରନ୍ୟାସନାଲ୍ ଫେଲୋସିପ୍ ଇନିସିଏଟିଭ୍’ ର ଅତିଥି ବୈଜ୍ଞାନିକ ଭାବେ ଶ୍ରୀ ସାହୁ ବିଶ୍ୱସ୍ତରରେ ମନୋନୀତ ହୋଇଥିବା ଜଣାପଡିଛି । ଏହି ପ୍ରତିଷ୍ଠିତ ଫେଲୋସିପ ଜରିଆରେ ବୈଜ୍ଞାନିକ ଶ୍ରୀ ସାହୁ ‘ଚାଇନିଜ୍ ଏକାଡେମୀ ଅଫ ସାଇନ୍ସର’ ଇନଷ୍ଟିଚ୍ୟୁଟ ଅଫ ଥିଓରେଟିକାଲ ଫିଜିକ୍ସ’ର ପ୍ରଫେସର ଶାଓ-ଜିଆଙ୍ଗ ୱାଙ୍ଗଙ୍କ ସହ ମିଳିତ ହୋଇ ଏକ ଆନ୍ତର୍ଜାତୀୟ ଗବେଷଣା କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଉଭୟଙ୍କର ମିଳିତ ସନ୍ଦର୍ଭ ମୁଖ୍ୟତଃ ରୂପାନ୍ତରିତ ମାଧ୍ୟାକର୍ଷଣ ଓ ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଆଧାରିତ ହେବ ବୋଲି ଜଣାପଡିଛି । ଭାରତର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ହାଇଦ୍ରାବାଦସ୍ଥିତ ‘ବିଟ୍ସ ପିଲାନି’ ପରିଗଣିତ ହେଉଥିବା ବେଳେ ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା ପ୍ରୋଫାଇଲ ଆହୁରି ସମୃଦ୍ଧ ଓ ସୁଦୃଢ଼ ହେବ ବୋଲି ବୈଜ୍ଞାନିକ ଶ୍ରୀ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଖଣ୍ଡପଡା ବ୍ଲକ ଅଧୀନ କୁଆହରା ଗ୍ରାମର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ସମଗ୍ର ବିଶ୍ୱସ୍ତରରେ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ପାରିଥିବା ବୈଜ୍ଞାନିକ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଏବେ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିବା ବେଳେ ଖଣ୍ଡପଡ଼ାବାସୀ ଶ୍ରୀ ସାହୁଙ୍କ ବିଶେଷ ସଫଳତାକୁ ନେଇ ବେଶ ଗର୍ବ ଅନୁଭବ କରିଥିବା ଜଣାଯାଇଛି ।