
ଟିଟିଲାଗଡ଼, (କେପିଏନ୍ଏସ୍) : ଟିଟିଲାଗଡ଼ ସହରର ବିକାଶକୁ ମିଳିବ ନୂଆ ଗତି । ଏମ୍ଏସ୍ବିୱାଇ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଟିଟିଲାଗଡ଼ ପୌରପାଳିକାର ତିନୋଟି ଅତିରିକ୍ତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି । ଏଥିପାଇଁ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସରକାରଙ୍କ ପକ୍ଷରୁ ନଭେମ୍ବର ୧୬ ତାରିଖରେ ଜାରି ଚିଠି ଅନୁସାରେ, ଟିଟିଲାଗଡ଼ ପୌରପାଳିକାରେ ମଲ୍ଟି ମାର୍କେଟ୍ କମ୍ପ୍ଲେକ୍ସ ସହ ଥିଏଟର ହଲ୍ ନିର୍ମାଣ ପାଇଁ ୫ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ମହାରାଜ ସାଗରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଏବଂ ମହାରାଜ ସାଗରର ପୂର୍ବ ପାର୍ଶ୍ୱରେ ଫୁଡ୍ କୋର୍ଟ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଆରମ୍ଭ କରି ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବାକୁ ଟିଟିଲାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଟିଟିଲାଗଡ଼ ସହରର ଭିତ୍ତିଭୂମି, ପର୍ଯ୍ୟଟନ ଓ ବ୍ୟବସାୟିକ କ୍ଷେତ୍ରର ବିକାଶରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି ।