
- ବଲାଙ୍ଗିର ଜିଲ୍ଲାର ୧୧ ବିଡିଓଙ୍କୁ ଶୋ-କଜ୍
- ବେଲପଡ଼ା ମାମଲାରେ କେବଳ ଜଣେ କର୍ମଚାରୀଙ୍କ ଡେପୁଟେସନ୍
ବଲାଙ୍ଗିର, (କେପିଏନ୍ଏସ୍) : ମନରେଗା ଯୋଜନାରେ ଅର୍ଥ ପରିଚାଳନା ଓ ନନ୍-ସାଲାରୀ କମ୍ପୋନେଣ୍ଟ୍ରେ ଦେୟ ପ୍ରଦାନକୁ ନେଇ ବଲାଙ୍ଗିର ଜିଲ୍ଲାରେ ବିବାଦ ତୀବ୍ର ହେବାରେ ଲାଗିଛି । ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ନନ୍-ସାଲାରୀ କମ୍ପୋନେଣ୍ଟ୍ରେ ଅର୍ଥ ପ୍ରଦାନ ହୋଇଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାର ୧୧ଟି ବ୍ଲକର ବିଡିଓଙ୍କୁ ଜିଲ୍ଲା ପରିଷଦ ପକ୍ଷରୁ ଶୋ-କଜ୍ ନୋଟିସ୍ ଜାରି ହୋଇଛି । ଅନ୍ୟପକ୍ଷରେ ବେଲପଡ଼ା ବ୍ଲକରେ ମନରେଗା ପ୍ରଶାସନିକ ଅର୍ଥର କଥିତ ଅନିୟମିତତାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି । ଜିଲ୍ଲା ପରିଷଦ କାର୍ଯ୍ୟାଳୟର ନୋଟିସ୍ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷର ବକେୟା ଦେୟ ପରିଶୋଧ ପରେ ଚଳିତ ଆର୍ଥିକ ବର୍ଷର ଦରମା ଓ ଆଇନଗତ ଦେୟକୁ ପ୍ରାଥମିକତା ଦେବାକୁ ସରକାରୀ ନିର୍ଦ୍ଦେଶ ରହିଛି । ନନ୍-ସାଲାରୀ କମ୍ପୋନେଣ୍ଟ୍ର ଅର୍ଥ ପ୍ରଦାନ ପାଇଁ ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ଓ ପାଣ୍ଠି ଉପଲବ୍ଧତାକୁ ଅପେକ୍ଷା କରିବାକୁ କୁହାଯାଇଥିଲା । ଏହା ସତ୍ତ୍ୱେ ୧୧ଟି ବ୍ଲକରେ ନିୟମ ଉଲ୍ଲଂଘନ କରି ଅର୍ଥ ପ୍ରଦାନ ହୋଇଥିବା ଅଭିଯୋଗ ଆସିଛି । ଏହି ଘଟଣାରେ ବିଡିଓମାନଙ୍କୁ ଅର୍ଥ ପ୍ରଦାନର ଆଧାର, ତାରିଖୱାରୀ ଓ କାର୍ଯ୍ୟୱାରୀ ଖର୍ଚ୍ଚ, ଏଫଟିଓ ବିବରଣୀ, ପୂର୍ବ ଅନୁମତି ଏବଂ ବ୍ଲକ ସ୍ତରରେ ଦାୟିତ୍ୱ ନିର୍ଦ୍ଧାରଣ ସମ୍ପର୍କରେ ତିନି ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି । ବେଲପଡ଼ା ବ୍ଲକ ମାମଲାକୁ ନେଇ ଦ୍ୱିତୀୟ ପ୍ରଶ୍ନ- ବେଲପଡ଼ା ବ୍ଲକରେ ମନରେଗାର ପ୍ରଶାସନିକ ଖର୍ଚ୍ଚ ଓ ଅର୍ଥ ପରିଚାଳନାକୁ ନେଇ ପୂର୍ବରୁ ଅନିୟମିତତାର ଅଭିଯୋଗ ଉଠିଥିଲା । ଏହି ପ୍ରସଙ୍ଗରେ ବିଏଫଓ ଭାଗତରାମ ମିର୍ଦ୍ଧା, ଏପିଓ ସନ୍ତୋଷ ପ୍ରଧାନ, କ୍ୟାସିୟର ଚୈତନ୍ୟ ବାଗ, ଏସିପି ତ୍ରିଲୋଚନ ନାଗ ଏବଂ ନରେଗା ଆସିଷ୍ଟାଣ୍ଟ ପ୍ରକାଶ ବସ୍ତିଆଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ଅନ୍ୟ ଚାରି ଜଣଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ନେଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠୁଛି । ଯଦି ମନରେଗା ଅର୍ଥ କାରବାରରେ ଅନିୟମିତତାର ଅଭିଯୋଗ ରହିଛି, ତେବେ କେବଳ ଜଣେ କର୍ମଚାରୀଙ୍କୁ ଡେପୁଟେସନ୍ରେ ପଠାଇବା ଯଥେଷ୍ଟ କି ? ଅନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାର ନିରପେକ୍ଷ ଯାଞ୍ଚ କେବେ ହେବ ? ବଡ଼ ସ୍ତରରେ ତଦନ୍ତ ଦାବି – ଜିଲ୍ଲାର ୧୧ଟି ବ୍ଲକରେ ନନ୍-ସାଲାରୀ ଅର୍ଥ ପ୍ରଦାନକୁ ନେଇ ଶୋ-କଜ୍ ଜାରି ହେବା ଏବଂ ବେଲପଡ଼ା ବ୍ଲକରେ ପୂର୍ବରୁ ଉଠିଥିବା ପ୍ରଶାସନିକ ଅର୍ଥ ଅନିୟମିତତା ଅଭିଯୋଗ ଏବେ ଜିଲ୍ଲାସ୍ତରୀୟ ମନରେଗା ଅର୍ଥ ପରିଚାଳନାକୁ ସନ୍ଦେହ ଘେରକୁ ଆଣିଛି । ଏହି ସମସ୍ତ ଘଟଣାରେ କେବଳ ବିଡିଓ କିମ୍ବା ତଳସ୍ତରୀୟ କର୍ମଚାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ନକରି ଅର୍ଥ ମଞ୍ଜୁରୀ, ଦେୟ ପ୍ରଦାନ ଓ ଅନୁମୋଦନ ପ୍ରକ୍ରିୟାରେ ଜଡ଼ିତ ସମସ୍ତ ସ୍ତରର ଅଧିକାରୀଙ୍କ ଭୂମିକା ଯାଞ୍ଚ କରିବା ଆବଶ୍ୟକ । ଏହା ପଛରେ କୌଣସି ଉଚ୍ଚସ୍ତରୀୟ ପ୍ରଭାବ ବା ରାଜନୈତିକ ହସ୍ତକ୍ଷେପ ରହିଛି କି ନାହିଁ, ସେ ଦିଗକୁ ମଧ୍ୟ ନିରପେକ୍ଷ ଭାବେ ଯାଞ୍ଚ କରିବାକୁ ଦାବି ହେଉଛି ।