jayashree

ଜିଲ୍ଲା ଯୁବ ବିଜେଡି ଉପସଭାପତି ହେଲେ ବିରଞ୍ଚି ଜାଲ

  • କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡାରେ ଦଳୀୟ ସଂଗଠନ ସୁଦୃଢ଼ କରିବାକୁ ନେଲେ ସଂକଳ୍ପ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ ବିଜୁ ଜନତା ଦଳର ସାଂଗଠନିକ ଦାୟିତ୍ୱରେ ନୂଆ ନିଯୁକ୍ତି ହୋଇଛି। କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ଯୁବ ନେତା ବିରଞ୍ଚି ଜାଲଙ୍କୁ ଜିଲ୍ଲା ଯୁବ ବିଜେଡିର ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଦଳ ପକ୍ଷରୁ ଏହି ନିଯୁକ୍ତି ଘୋଷଣା ପରେ ତାଙ୍କ ସମର୍ଥକ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଶ୍ରୀ ଜାଲ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ସମେତ ସିନ୍ଧେକେଲା ଅଞ୍ଚଳରେ ଜଣେ ସକ୍ରିୟ ଯୁବ ସଂଗଠକ ଭାବେ ପରିଚିତ। ଛାତ୍ର ଜୀବନରୁ ରାଜନୀତି ସହିତ ଜଡ଼ିତ ରହିବା ସହ ବିଭିନ୍ନ ସାମାଜିକ ଓ ସଂଗଠନାତ୍ମକ କାର୍ଯ୍ୟରେ ସେ ନିଜକୁ ସାମିଲ କରିଆସିଛନ୍ତି । ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ସକ୍ରିୟତା ରହିଛି । ନୂତନ ଦାୟିତ୍ୱ ମିଳିବା ପରେ ବଲାଙ୍ଗିର ଜିଲ୍ଲା ସମେତ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଓ ବଙ୍ଗୋମୁଣ୍ଡା ବ୍ଲକରେ ଯୁବ ବିଜେଡି ସଂଗଠନକୁ ଆହୁରି ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ସେ ସଂକଳ୍ପବଦ୍ଧ ହୋଇଛନ୍ତି। ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତୃତ୍ୱଙ୍କୁ ଶ୍ରୀ ଜାଲ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ନିଯୁକ୍ତି ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Leave A Reply

Your email address will not be published.