
- ମେଡିକାଲ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଖୋଦ୍ ମେଡିକାଲ କଲେଜରେ ଦେଖାଦେଇଛି ଅବ୍ୟବସ୍ଥା । ତିନି ବର୍ଷ ଧରି ମୌଳିକ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମେଡିକାଲ ଛାତ୍ରଛାତ୍ରୀ । ଏ ଦୃଶ୍ୟ ହେଉଛି ଭବାନୀପାଟଣାସ୍ଥିତ ସହୀଦ ରେଣ୍ଡୋମାଝୀ ମେଡିକାଲ କଲେଜର । ହଷ୍ଟେଲରେ ପାଣି ସମସ୍ୟା, ସ୍ୱଚ୍ଛ ପାନୀୟଜଳର ଅଭାବ, ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଏବଂ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଭଳି ଦାବି ନେଇ ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ତିନି ବର୍ଷ ଧରି ସମସ୍ୟାର ସମାଧାନ ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ବିକ୍ଷୋଭ ଖବର ପାଇ ପିଡବ୍ଲୁଡି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନା ପରେ ମଧ୍ୟ କୌଣସି ଠୋସ୍ ସମାଧାନ ବାହାରି ନଥିବାରୁ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଥମିନାହିଁ । ମେଡିକାଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନରେ ଯଦି ଛାତ୍ରଛାତ୍ରୀଙ୍କୁ ପାଣି, ବିଦ୍ୟୁତ୍ ଓ ଅଧ୍ୟାପକ ଅଭାବ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼େ, ତେବେ ଶିକ୍ଷାଦାନର ମାନ ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେଣୁ କେବଳ ଆଲୋଚନା ଓ ପ୍ରତିଶ୍ରୁତି ନୁହେଁ, ତୁରନ୍ତ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ତିନି ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନ ଏବେ ମେଡିକାଲ କଲେଜର ପ୍ରଶାସନିକ ଓ ଭିତ୍ତିଭୂମିଗତ ଅବ୍ୟବସ୍ଥାକୁ ପଦାରେ ପକାଇଛି । ତେବେ କେବେ ଏହି ସମସ୍ୟାର ସମାଧାନ ହେଉଛି, ତାହା ଏବେ ଅପେକ୍ଷାର ବିଷୟ ।