jayashree

ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ତହସିଲ ଅଫିସ ଘେରାଉ କଲା ଓଡ଼ିଶା ଜନତା କଂଗ୍ରେସ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟଶୈଳୀ ଏବଂ ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ର୍ଦୁବ୍ୟବହାର କରାଯାଉଥିବା ଅଭିଯୋଗକୁ ନେଇ ଶୁକ୍ରବାର ଦିନ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର୍‌ ପ୍ରତିବାଦ କରାଯାଇଛି । ଓଡ଼ିଶା ଜନତା କଂଗ୍ରେସ ପାର୍ଟି ବଲାଙ୍ଗିର ଜିଲ୍ଲା ପକ୍ଷରୁ ଆୟୋଜିତ ଏହି ଆନ୍ଦୋଳନରେ ଦଳୀୟ କର୍ମୀ ଏବଂ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇ ତହସିଲ ଅଫିସ ଘେରାଉ କରିଥିଲେ । ପ୍ରତିବାଦକାରୀମାନେ ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ସମସ୍ୟାକୁ ଅବହେଳା କରାଯାଉଥିବା ସହ ଅଧିକାରୀମାନଙ୍କ ଲୋକଙ୍କ ପ୍ରତି ବ୍ୟବହାର ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଆନ୍ଦୋଳନ ସମୟରେ ଓଡ଼ିଶା ଜନତା କଂଗ୍ରେସର ବଲାଙ୍ଗିର ଜିଲ୍ଲା ସଂଯୋଜକ ରୂପେଶ ବେହେରା କହିଥିଲେ ଯେ, ଲୋକଙ୍କ ଜମିଜମା ଓ ପ୍ରଶାସନିକ କାମ ସମୟରେ ସମାଧାନ ହେଉନାହିଁ ଏବଂ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଜନତାଙ୍କ ସହ ଅସଦ୍‌ ବ୍ୟବହାର କରାଯାଉଛି । ଏହାର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ସେ ସତର୍କ କରିଥିଲେ । ପ୍ରତିବାଦକାରୀମାନେ ନିଜ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଶାସନଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.