ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଂଚଳର ଏକ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇବା ସହିତ ୨୦ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ଦୋଷୀକୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଜି.ଉଦୟଗିରି ଥାନା ଅଞ୍ଚଳର ଜିତେନ୍ଦ୍ର କୁମାର ଦିଗାଲ(୪୬) । ପ୍ରକାଶ ଯେ, ଗତ ୨୦୧୯ ଏପ୍ରିଲ ୪ ତାରିଖ ଦିନ ଜନୈକା ନାବାଳିକା ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇ ନାବାଳିକାଙ୍କୁ ରୁଟି ଖାଇବା ପାଇଁ ଦେଇଥିଲା । ଏହା ଖାଇବା ପରେ ପୀଡିତା ନାବାଳିକାଙ୍କ ମୁଣ୍ଡ ବୁଲାଇ ହେବାରୁ ସେ ଶୋଇ ପଡିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ୍ଦ୍ର ନାବାଳିକାଙ୍କୁ ଗାଁ ପାଖ ଶ୍ମଶାନକୁ ନେଇ ସେଠାରେ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର୍‌ ହୋଇ ଯାଇଥିଲା । ଘର ଲୋକେ ଝିଅକୁ ଖୋଜାଖୋଜି କରିବା ପରେ ମଶାଣିରୁ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ପୀଡିତାଙ୍କ ବଡ ଭାଇ ଜି.ଉଦୟଗିରି ଥାନାରେ ଏତଲା ଦେବାରୁ ପୁଲିସ କେସ ନଂ.୫୨/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ବର୍ତ୍ତମାନ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଜଜ୍ ସଂଜିତ କୁମାର ବେହେରା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିିପି ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ ।

Leave A Reply

Your email address will not be published.

5 × two =