ଏକକାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକକାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ଆଜି ବଲାଙ୍ଗିରର ହୋଟେଲ ଏସ୍‌. ଜେ. ରେଜେନ୍ସିରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଓ କଟକ ମେୟର ସୁବାସ ସିଂହ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୈନିକ ମଜୁରୀରେ ଓଡ଼ିଶାରେ ୩୪୬ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଏହାଦ୍ୱାରା ସରକାରୀ, ଅର୍ଦ୍ଧ ସରକାରୀ ଓ ଶିଳ୍ପ ସଂସ୍ଥା, ଘରୋଇ କାର୍ଯ୍ୟ ଏବଂ ସବୁ ସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ ଉପକୃତ ହେବେ । ବିଶେଷ କରି ମ୍ୟୁନିସିପାଲିଟିରେ କାର୍ଯ୍ୟରତ ଶ୍ରମିକ, ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ କଂପାନୀ ତଥା ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକମାନେ ଏହାଦ୍ୱାରେ ବିଶେଷ ଉପକୃତ ହେବେ ବୋଲି ଶ୍ରୀ ସିଂହ କହିଛନ୍ତି । କଂଟାବାଂଜି ତଥା ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ମିସ୍ତ୍ରୀମାନଙ୍କୁ ଦକ୍ଷତା ବିକାଶ ଟ୍ରେନିଂ ଦିଆଯାଇ ସ୍ୱତନ୍ତ୍ର ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିବା ବେଳେ ଏହାଫଳରେ ସେମାନେ ବାହାର ରାଜ୍ୟରେ କାମ କଲେ ଉପଯୁକ୍ତ ମଜୁରୀ ପାଇ ପାରିବେ । ବାହାର ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ରାଜ୍ୟରେ ସହାୟତା କେନ୍ଦ୍ର ଖୋଲାଯାଇଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ଶ୍ରମିକମାନେ ବେଶ୍‌ ଉପକୃତ ହୋଇ ପାରୁଥିବା ସେ କହିଛନ୍ତି । ବାହାର ଦେଶରେ କାର୍ଯ୍ୟରତ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବା ପାଇଁ ସୁଲଭ ମୂଲ୍ୟରେ ସ୍ୱତନ୍ତ୍ର ଉଡ଼ାଜାହାଜର ବ୍ୟବସ୍ଥା କରି ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ସମ୍ମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ଶ୍ରୀ ସିଂହଙ୍କ ସହ ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପଦେଷ୍ଟା ରାଜୀବ ମହାନ୍ତି, ଜିଲ୍ଲା ସଭାପତି ଲୋଟସ୍‌ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।

Leave A Reply

Your email address will not be published.

1 × 5 =

error: Content is protected !!