jayashree

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ମହୁରି ସମ୍ମାନ-୨୦୨୧

ଭବାନୀପାଟଣା, (ପି. କେ. ସାହୁ) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ଚଳିତ ବର୍ଷର “ମହୁରି ସମ୍ମାନ” ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ କବି ଡ. ଗାୟତ୍ରୀବାଳା ପଣ୍ଡା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଉଥିବା ବେଳେ ଚଳିତ ବର୍ଷ ଡ. ଗାୟତ୍ରୀବାଳା ପଣ୍ଡାଙ୍କ ନାମକୁ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରି ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି । ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ବିଗତ ବର୍ଷମାନଙ୍କରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ଼. ସୁରେଶ ନାୟକ ଓ କବି ଲକ୍ଷ୍ମୀନାରାୟଣ ହୋତା ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ଜଗତ୍‌ସିଂହପୁର ଜିଲ୍ଲାର ସାଦେଇପୁର ଠାରେ ୧୯୭୭ରେ ଜନ୍ମ ହୋଇଥିବା କବି ଡ. ଗାୟତ୍ରୀବାଳା ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରତ ଅଛନ୍ତି । କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରଚନା କରିବା ସହିତ ସାଂପ୍ରତିକ ପ୍ରସଙ୍ଗ ଭିତ୍ତିକ ଫିଚର ରଚନା କରନ୍ତି । ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚ୍‌ଡ଼ି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିଛନ୍ତି । ଏଯାବତ୍ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ହୋଇସାରିଥିବା ବେଳେ ୨ଟି ଯନ୍ତ୍ରସ୍ଥ ରହିଛି । ଡ.ପଣ୍ଡାଙ୍କର ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି । ୨୦୧୧ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଶ୍ରୀମତୀ ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ସେ ଜାତୀୟ ଓ ଅନ୍ତର୍ଜାତୀୟ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ୨୦୧୫ରେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସତର ଦିନ ଅବସ୍ଥାନ କରିଛନ୍ତି । ଏଯାବତ୍ ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡିଆ । କେବଳ ସାହିତ୍ୟ ରଚନା ନୁହଁ ସାମ୍ବାଦିକତା ପାଇଁ ମଧ୍ୟ ସେ ସ୍ୱର୍ଣ୍ଣପଦକ ପାଇଛନ୍ତି । ଡ. ପଣ୍ଡା ସଂପ୍ରତି ସାହିତ୍ୟ ପତ୍ରିକା ‘ଅନ୍ୟା’ର ସଂପାଦକ ଅଟନ୍ତି । ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଏକାଡ଼େମିକ୍ କାଉନ୍‌ସିଲ୍‌ର ମେମ୍ବର ଅଟନ୍ତି । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ୱର ନିମନ୍ତେ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.