ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ପକ୍ଷରୁ ଚଳିତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଶତ ବାର୍ଷିକୀ ମହୋତ୍ସବ ମହାସମାରୋହରେ ପାଳନ କରାଯିବ । ୨୫ ତାରିଖ ସକାଳ ୧୦ ଘଣ୍ଟା ସମୟରେ ମ.ରାମପୁରର ଇଷ୍ଟ ଦେବୀ ମା’ ଡୋକାରୀଙ୍କ ମନ୍ଦିରଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ଉତ୍ସବ ପଡିଆ(ଚାରିଛକ) ଚନ୍ଦ୍ରମଣି ରଙ୍ଗ ମଞ୍ଚରେ ସ୍ଥାପନ କରାଯିବ । ପରେ ସନ୍ଧ୍ୟାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବ ଅବସରରେ ସ୍ମରଣିକା ଉନ୍ମୋଚନ ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀଙ୍କ ରଚିତ ଓ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ “ଏଇ ଯେ ସୂର୍ଯ୍ୟ ଉଏଁ” ନାଟକ ମଞ୍ଚସ୍ଥ ହେବ । ଠିକ୍ ସେହିପରି ୨୬ ତାରିଖରେ ଉଦ୍ଯାପନୀ ଉତ୍ସବରେ ସାଂସ୍କୃତିକ ସଭା, ରାଜା ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପ୍ରଦାନ, ସମ୍ବର୍ଦ୍ଧନା ପ୍ରଦାନ ଏବଂ ତା’ପରେ ନାଟ୍ୟକାର ପଦ୍ମଲୋଚନ ମିଶ୍ରଙ୍କ ରଚିତ ଓ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ “ପରଶୁ ର ଉତ୍ତର ଦାୟିତ୍ଵ’ ନାଟକ ମଞ୍ଚସ୍ଥ ହେବ । ତେବେ ପୂର୍ବରୁ ଏହି ଶତ ବାର୍ଷିକୀ ମହୋତ୍ସବ ଚଳିତ ମାସ ୨୧ ଓ ୨୨ ତାରିଖରେ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇ ଚଳିତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ମହାସମାରୋହରେ ପାଳନ କରାଯିବ ବୋଲି ସମ୍ପାଦକ ହେମନ୍ତ ସାହୁ ସୂଚନା ପ୍ରଦାନ କରିଛନ୍ତି ।
Next Post