ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ବେଦବ୍ୟାସ ଠାରେ ମହାମହର୍ଷି ବ୍ୟାସଦେବ ଓ ଶ୍ରୀ ଗଣେଶଙ୍କ ବିଗ୍ରହ ସ୍ଥାପନା ପରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଆଜି ଯୋଗ ଦେଇଥିଲେ । ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ମୁଖ୍ୟ ତଥା ସୁନ୍ଦରଗଡ ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀରୁ ଆସିଥିବା ପଣ୍ଡିତ ମଣ୍ଡଳୀ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ଦାଶଶର୍ମା, ପଦ୍ମନାଭ ମହାପାତ୍ର, ସରୋଜ କୁମାର ମିଶ୍ର, ଜଗନ୍ନାଥ ମିଶ୍ର ଓ ବାସୁଦେବ ମହାପାତ୍ର ପ୍ରମୁଖ ପୁରୋହିତ କାର୍ଯ୍ୟ ଓ ସହକର୍ତ୍ତା ଭାବେ ଅଜିତ ଦାସ, ସୁଲୋଚନା ଦାସ ଓ କେଶବ ଡାକୁଆ ପ୍ରମୁଖ ଦାୟିତ୍ୱ ସଂପାଦନ କରିଥିଲେ । ଏହି ଅବସରରେ ଶତାଧିକ ମହିଳା ଗୁରୁକୁଳ ଆଶ୍ରମ ଠାରୁ ବ୍ୟାସ ଗୁମ୍ଫା ପର୍ଯ୍ୟନ୍ତ କଳସ ଯାତ୍ରା କରିଥିଲେ । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଯଜ୍ଞ, ସଂକୀର୍ତ୍ତନ, ପ୍ରବଚନ, ହରିହାଟ ଓ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ବେଦବ୍ୟାସ ଠାରେ ପୀଠାଧିଶ ମହର୍ଷି ବେଦବ୍ୟାସଙ୍କ ପ୍ରତିମୂର୍ତ୍ତିଟିଏ ନଥିବାରୁ ଏଠାରେ ପ୍ରତିମୂର୍ତ୍ତିଟିଏ ସ୍ଥାପନ ପାଇଁ ଆଲୋଚନା ହେଉଥିଲା । ତେବେ ଆଜିର ଏହି କାର୍ଯ୍ୟକ୍ରମ ପରେ ଅଂଚଳବାସୀଙ୍କ ବହୁଦିନର ଇଚ୍ଛା ପୂରଣ ହୋଇଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ଆଜିର ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ କଲ୍ୟାଣୀ ରାୟ ଟ୍ରଷ୍ଟ ବୋର୍ଡର ଅଗ୍ନିବାବା, ହରିହର ରାଉତରାୟ, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି.ପି.ରାୟ, ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ଉପେନ୍ଦ୍ର ନାୟକ, ସିଅରର ସଂପାଦକ ବୈଦ୍ୟନାଥ ଦାସ, ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା, ବେଦ ଅଧ୍ୟାପିକା ଜୋସ୍ନାରାଣୀ ଦାସ, ରାମଚନ୍ଦ୍ର ସାହୁ, ଅଶୋକ କୁମାର ଅଗ୍ରୱାଲ, ପ୍ରସନ୍ନ କୁମାର ଶାସ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + 3 =

error: Content is protected !!