mahavir

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ମା’ ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ ଏବଂ ସବଜେଲ ନିକଟରେ ଥିବା ହନୁମାନ ମନ୍ଦିରଠାରେ ସକାଳୁ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିଶା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ହନୁମାନ ଚାଳିଶା ବହି ବଣ୍ଟନ କରାଯାଇଥିଲା । ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନରେ ଅନ୍ନ ବଣ୍ଟନ କରିଥିଲେ । ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, ଦୁର୍ଗା ମନ୍ଦିର ସମେତ ସମସ୍ତ ଦେବାଦେବୀ ପୀଠରେ ସ୍ୱତନ୍ତ୍ର ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଛି । ଭକ୍ତମାନେ ସମସ୍ତ ଦେବାଦେବୀ ଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷକୁ ସ୍ୱାଗତ କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକାକୁ ପୂଜାକରି ପଠନ କରିଥିଲେ । ସେହି ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି । ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଥିଲା ।

Leave A Reply

Your email address will not be published.