pakka

ଆଜି ଅପରାହ୍ନରେ ମା’ ଙ୍କ ଚନ୍ଦ୍ରଘଣ୍ଟା ବେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜଗତ୍‌ ଜନନୀ ମା’ ଚନ୍ଦ୍ରଘଣ୍ଟା ବେଶରେ ଉଭା ହୋଇଛନ୍ତି । ସହରର ସମଲେଶ୍ୱରୀ ମନ୍ଦିରରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି । ମା’ଙ୍କ ଏଇ ବେଶ ଓ ତାହାର ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା ପୌରାଣିକ ବିଷୟ ।

ପିଣ୍ଡଜପ୍ରବରାରୂଢା ଚଣ୍ଡକୋପାସ୍ତ୍ରକୈର୍ଯୁତା ।
ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା । ।

ମାତା ଦୁର୍ଗାଙ୍କର ତୃତୀୟ ଶକ୍ତିର ନାମ ଚନ୍ଦ୍ରଘଣ୍ଟା । ନବରାତ୍ରି – ଉପାସନାର ତୃତୀୟ ଦିନ ତାଙ୍କ ବିଗ୍ରହର ପୂଜା ଆରାଧନା କରାଯାଏ । ମାତାଙ୍କର ଏହି ସ୍ୱରୂପ ପରମ ଶାନ୍ତିଦାୟକ ଓ କଲ୍ୟାଣକାରୀ ଅଟେ । ଏହାଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ବିରାଜିତ ହୋଇଥିବାରୁ ଏହାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କର ଦେହର ରଙ୍ଗ ସୁନା ପରି ଉଜ୍ଜଳ । ସେ ଦଶଭୂଜା, ଦଶଭୁଜରେ ଖଡ୍‌ଗ ଆଦି ଶସ୍ତ୍ର ଓ ବାଣ ଆଦି ଅସ୍ତ୍ର ବିଭୂଷିତ । ସେ ସିହଂବାହିନୀ ଓ ଯୁଦ୍ଧ ନିମନ୍ତେ ଉଦ୍ୟତ ମୁଦ୍ରାରେ ବିରାଜିତ । ତାଙ୍କର ଘଣ୍ଟାମାନଙ୍କର ଭୟାନକ ପ୍ରଚଣ୍ଡ ଧ୍ୱନିରେ ଅତ୍ୟାଚାରୀ ଦାନବ ଦୈତ୍ୟ ରାକ୍ଷସମାନେ ସର୍ବଦା ପ୍ରକମ୍ପିତ ହେଉଥାନ୍ତି ।

ନବରାତ୍ର ଦୁର୍ଗାପୂଜାର ତୃତୀୟ ଦିବସରେ ପୂଜା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ସେ ଦିନ ସାଧକଙ୍କ ମନ ‘ମଣିପୁର’ ଚକ୍ରରେ ପ୍ରବେଶ କରେ । ମା’ ଚନ୍ଦ୍ରଘଣ୍ଟାଙ୍କ କୃପାରୁ ସାଧକଙ୍କୁ ଆଲୌକିକ ବସ୍ତୁମାନଙ୍କର ଦର୍ଶନ ମିଳେ, ଦିବ୍ୟ ସୁଗନ୍ଧ ଅନୁଭବ ହୁଏ ତଥା ବିବିଧ ପ୍ରକାର ଦିବ୍ୟ ଧ୍ୱନି ଶୁଣିବାକୁ ମିଳେ । ସେହି କ୍ଷଣରେ ସାଧକକୁ ଅତ୍ୟନ୍ତ ସାବଧାନ ରହିବାକୁ ପଡେ ।

ମାତା ଚନ୍ଦ୍ରଘଣ୍ଟାଙ୍କ କୃପାରୁ ସାଧକଙ୍କର ସମସ୍ତ ପାପ ଓ ବାଧା ବିନଷ୍ଟ ହୋଇଯାଏ । ଏହି ମା’ଙ୍କର ଆରାଧନା ସଦା ଫଳଦାୟୀ ଅଟେ । ତାଙ୍କର ମୁଦ୍ରା ସଦା ଯୁଦ୍ଧାଭିମୁଖୀ, ତେଣୁ ସେ ଭକ୍ତମାନଙ୍କ କଷ୍ଟକୁ ଅତିଶୀଘ୍ର ନିବାରଣ କରିଦିଅନ୍ତି । ତାଙ୍କର ବାହନ ସିଂହ ହୋଇଥିବାରୁ, ତାଙ୍କର ଉପସାକ ସିଂହ ପରି ପରାକ୍ରମୀ ଓ ନିର୍ଭୀକ ହୋଇ ଯାଆନ୍ତି । ମା’ଙ୍କର ଘଣ୍ଟାଧ୍ୱନି ସଦା ତାଙ୍କର ଭକ୍ତମାନଙ୍କୁ ପ୍ରେତ ବାଧାଦିରୁ ରକ୍ଷା କରେ । ତାଙ୍କର ଧ୍ୟାନ କରୁ କରୁ ହିଁ ଶରଣାଗତକୁ ରକ୍ଷା କରିବା ପାଇଁ ଘଣ୍ଟାଧ୍ୱନି ନିନାଦିତ ହୋଇଉଠେ ।

ଦୁଷ୍ଟଦଳନ ପାଇଁ ମାତା ସର୍ବଦା ତତ୍ପର ହୋଇ ରହିଥିଲେ ବି ଦର୍ଶକ ଓ ଆରାଧକଙ୍କ ନିମନ୍ତେ ମା’ଙ୍କର ସ୍ୱରୁପ ଅତ୍ୟନ୍ତ ସୌମ୍ୟ ଓ ଶାନ୍ତ ରହିଥାଏ । ମା’ଙ୍କର ଆରାଧନାରୁ ଏକ ବିଶେଷ ସଦ୍‌ଗୁଣ ପ୍ରାପ୍ତ ହୁଏ । ସାଧକଙ୍କ ଭିତରରେ ବୀରତା ଓ ନିର୍ଭିକତା ସହିତ ସୌମ୍ୟତା ଓ ବିନମ୍ରତା ବି ବିକଶିତ ହୁଏ । ସାଧକଙ୍କ ମୁଖ, ନେତ୍ର ତଥା ସମଗ୍ର କାୟାରେ ଏକ ଅପୂର୍ବ କାନ୍ତି ଫୁଟି ଉଠେ । ସ୍ୱରରେ ଦିବ୍ୟ, ଅଲୌକିକ ମାଧୁର୍ଯ୍ୟର ସମାବେଶ ହୋଇଯାଏ । ମାତା ଚନ୍ଦ୍ରଘଣ୍ଟାଙ୍କର ଭକ୍ତ ଓ ଉପାସକ ଯେଉଁଠି କି ଯାଆନ୍ତୁ ନା କାହିଁକି, ତାଙ୍କୁ ଦେଖି ସେଠାରେ ଲୋକେ ଶାନ୍ତି ଓ ସୁଖ ଅନୁଭବ କରନ୍ତି । ମା’ଙ୍କର ସାଧକଙ୍କ ଶରୀରରୁ ଦିବ୍ୟ ଜ୍ୟୋତିଯୁକ୍ତ ପରମାଣୁମାନଙ୍କର ଅଦୃଶ୍ୟ ଶକ୍ତି ବିକିରଣ ହୁଏ । ଏହି ଦିବ୍ୟ କ୍ରିୟା ସାଧାରଣ ରକ୍ତମାଂସର ଆଖିକୁ ଦେଖାଯାଏ ନାହିଁ, କିନ୍ତୁ ସାଧକ ଓ ତାଙ୍କ ସମ୍ପର୍କରେ ଆସୁଥିବା ଲୋକେ ଏହା ସ୍ପଷ୍ଟ ଅନୁଭବ କରନ୍ତି ।

ନିଜର ମନ, ବଚନ, କର୍ମ ଓ କାୟାକୁ ବିହିତ ବିଧି ବିଧାନ ଅନୁସାରେ ସମ୍ପୂର୍ଣ୍ଣ ଶୁଦ୍ଧ ପବିତ୍ର କରି, ଆମେ ମାତା ଚନ୍ଦ୍ରଘଣ୍ଟାଙ୍କର ଶରଣାଗତ ହୋଇ ତାଙ୍କର ଉପାସନା ଆରାଧାନାରେ ତତ୍ପର ହେବା ଉଚିତ । ତାଙ୍କର ଉପାସନା ଫଳରେ ଆମେ ସକଳ ସାଂସରିକ କଷ୍ଟରୁ ବିମୁକ୍ତ ହୋଇ ସହଜରେ ପରମ ପଦର ଅଧିକାରୀ ହୋଇ ପାରିବା । ମା’ଙ୍କର ପବିତ୍ର ବିଗ୍ରହକୁ ନିରନ୍ତର ଆମ ଧ୍ୟାନରେ ରଖି ସାଧନାରେ ଅଗ୍ରସର ହେବାକୁ ପ୍ରଯତ୍ନ କରିବା ଆବଶ୍ୟକ । ତାଙ୍କର ଧ୍ୟାନ ଇହଲୋକ ଓ ପରଲୋକରେ ଆମର ପରମ କଲ୍ୟାଣ କରି ଆମକୁ ସ୍‌ଦଗତି ପ୍ରଦାନ କରିବ ।

jay balangir
Leave A Reply

Your email address will not be published.

seven + 14 =